STORYMIRROR

Bidulata Sahoo

Inspirational Others

4  

Bidulata Sahoo

Inspirational Others

ଗ୍ରୀଷ୍ମ

ଗ୍ରୀଷ୍ମ

1 min
365


ବିଷୁବ ସଂକ୍ରାନ୍ତି ଚାଲିଗଲା ପରେ ନିଦାଘ ଆସୁଛି ଝୁଲିଝୁଲି,

ସାଥିରେ ଆଣିଛି ଝାଞ୍ଜିପବନକୁ ହସୁଛି ସେ ଖାଲି ଖିଲିଖିଲି

ସାଇଁସାଇଁ ବହେ ଗରମପବନ ଖରା ମାରୁଅଛି ଟାଇଁଟାଇଁ,

ତତଲା ଖରାରେ ଦେହମୁହଁ ସିଝି ମୁଣ୍ଡ ଲାଗେ ଖାଲିଝାଇଁଝାଇଁ

ନଈନାଳ ସବୁ ଶୁଖି ଆସିଲାଣି ଫାଟି କରିଅଛି ଆଁ  ଆଁ,

ଦିନଦିପହରେ ବାହାରି ହେଉନି ଚାରିଆଡ ଲାଗେ ଖାଁ ଖାଁ |

ପାଣିଟୋପେ ପାଇଁ ଡହଳ ବିକଳ ମଣିଷଠୁ ପଶୁପକ୍ଷୀଯାଏଁ

ଯୁଆଡେ ଯାଉଛୁ ମୋତେ ସାଥେ ନିଏ ମଣିଷକୁ ଛତା,ଜୋତାକହେ |

ତପତ କୀରଣ ସହି ହୁଏନାହିଁ ମୁଁହରଙ୍ଗ ଦିଶେ ନାଲିନାଲି,

ଲୁଗାପଟା କହେ ରହିବିନି ଦେହେ ଶୀଘ୍ର ମୋତେ ଦିଅ ଖୋଲିଖାଲି |

ଚୁଲିମୁଣ୍ଡ ଦୂରୁ ହାତଠାରି କହେ ମୋ ପାଖଆଡେ ଆସନାହିଁ,

ଏ. ସି.,ପଙ୍ଖା ଆଉ କୁଲର କହନ୍ତି ମୋତେ ଛାଡି କେହି ଯାଅନାହିଁ

ପଇଡପାଣିଟା ଉଷୁମୁ ଚାଆକୁ ସକାଳୁ କହୁଛି ଆଖିମାରି

କହିଲୁ କହିଲୁ କାହାର ଆଦର ଅଛି ଏବେ କାର ପଲା ଭାରି |

ଦହି ସରବତ ଲସି ଦୋକାନରେ ଲୋକଙ୍କର ଭିଡ ହାଉଯାଉ,

ଏତେ ଭିଡ ଦେଖି ଦୋକାନୀ କହୁଛି ରହିଯାଅ ଟିକେ ଥାଉଥାଉ |

ଭାରି ଭଲଲାଗେ ଗଛମୂଳ ଛାଇ ଗଛନାହିଁ ଆଉ ଛାଇ ନାହିଁ,

ବାଟୋଇ ବିଚରା ବାଟ ବଣା ହୁଏ ଗଛ ଛାଇ ଆଡେ ଚାହିଁଚାହିଁ

ଭଲଲାଗେ ଆମ୍ବ,ତାଳ,ତରଭୁଜ ସପୁରି,ପଣସ ଖାଇବାକୁ,

ପାଟିରେ ବାଜିଛି ଥରୁଟେ ଯାହାର ଭୁଲିନି ସେ ସାରା ଜୀବନକୁ

କାଳବୈଶାଖୀର କରାଳରୂପରେ ଲୋକେ ହେଉଛନ୍ତି ବେସାହାରା,

ପାଣିଟୋପେ ପାଇଁ ଡହଳ ବିକଳ ଲୋକଙ୍କ ହାତରେ ଖାଲିଗରା 

ପଖାଳ ଭାତଟା ଘରେଘରେ ଏବେ ଆସନ ଜମେଇଦେଇଅଛି,

ଶିତୁଳିଆ ଆଉ ଘିମିରିଏ ମିଶି ପିଲାଙ୍କଠି ଦାଉ ସାଧୁଅଛି |

ମଲ୍ଲି,ବଉଳର ମିଠା ବାସନାରେ ମନମତାଣିଆ ସଞ୍ଜଆସେ,

ପଣା ସଙ୍କରାନ୍ତି,ଚନ୍ଦନଯାତ୍ରା ଓ ରଜପରବରେ ଧରା ହସେ |

ଗ୍ରୀଷମଟା ବଡ ବିଷମ ହେଲେବି ସିଏ ଆମପାଇଁ ହିତକାରୀ,

ପାଣିଟାଣି ନେଇ ବରଷା ଋତୁକୁ ଆଣିଥାଏ ଆମନ୍ତ୍ରଣ କରି |

ଖରାନ ହୋଇଲେ ବରଷାହେବନି ମିଳିବନି ଜମା ପାଣି ଟୋପେ,

ଖରା ଆମ ପାଇଁ ଭାରି ଉପକାରୀ ସିଏ ପରା ଆମ ମିତ ଅଟେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational