କେହି ରହିନାହି ରହିବନି କେବେ
କେହି ରହିନାହି ରହିବନି କେବେ
ଏଇ ପୃଥିବୀଟା ଏକ ରଙ୍ଗମଞ୍ଚ
ଆମେସବୁ କଳାକାର
ସଭିଏଁ ନିଜର ଅଭିନୟ ସାରି
ବାହୁଡିବା ନିଜଘର ।।
ରଙ୍ଗମଞ୍ଚ ପରେ କେହି କଳାକାର
ରହେ ନାହିଁ ସବୁବେଳେ
ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହୁଏ
ସଦା ପାଣ୍ଡୁଲିପି ବଳେ ।।
ଜୀବନଟା ଏକ ନାଟକ ଅଟଇ
ସଂସାର ରଙ୍ଗମଞ୍ଚରେ
ଏହାର ପ୍ରତ୍ୟେକ ଦୃଶ୍ୟ ଲେଖାହୁଏ
ବିଭୁଙ୍କର କଲମରେ ।।
ବିଭୁ ନିର୍ଦ୍ଦେଶିତ ଜୀବନ ନାଟକେ
ଅଭିନୟ କରାଯାଏ
ନିଜ ଅଭିନୟ ସାରି ସର୍ବ ପ୍ରାଣୀ
ରଙ୍ଗମଞ୍ଚ ଛାଡିଯାଏ ାା
ଜୀବନ ନାଟକେ କେବେ ସୁଖଆସେ
କେବେ ଆସେ ପୁଣି ଦୁଃଖ
ସୁଖ ପରେ ଦୁଃଖ ଆସଇ ଜୀବନେ
ଦୁଃଖପରେ ଆସେ ସୁଖ ।।
ଦୁଃଖରେ ଅଧିର ସୁଖରେ ବିଭୋର
ହେବନାହିଁ କେବେ ତୁମେ
ସ୍ଥିତପ୍ରଜ୍ଞ ଭାବେ କର୍ମ କରିଚାଲ
ଭବ ରଙ୍ଗମଞ୍ଚେ ତୁମେ ।।
ନିଜପ୍ରତିପତ୍ତି ବଳେ ଅନ୍ଧ ନର
ଧରାକୁ ସରା ମଣିଣ
ନିରନ୍ନ ଦୁର୍ବଳ ନରକୁ ଦିଅଇ
ଅକଥନୀୟ କଷଣ ।।
ଭାବିଥାଏ ନର ରଖିବାକୁ ହାତେ
ଅନ୍ୟ ଲୋକ ଭାଗ୍ୟ ଡୋରୀ
ତାର ଭାଗ୍ୟ ଡୋରୀ କାଳର ହାତରେ
ଗର୍ବରେ ଦିଏ ପାଶୋରି ।।
ଜନମ ଯେମିତି ଚିରନ୍ତନ ସତ୍ୟ
ମୃତ୍ୟୁ ବି ସେମିତି ସତ୍ୟ
ଆସିବା ଯେମିତି ସତ୍ୟ ଅଟେ ଭାଇ
ଫେରିବା ସେମିତି ସତ୍ୟ।।
କେହି ରହିନାହିଁ ରହିବନି କେହି
ଚିରକାଳ ପୃଥିବୀରେ
ମାତୃ ଗର୍ଭେ ସୃଷ୍ଟି ଜୁଇରେ ବିଲୀନ
ହୁଏ ନର ମହୀପରେ ।।
ଜନ୍ମରୁ ଆରମ୍ଭ ଜୀବନ ନାଟକ
ମୃତ୍ୟୁରେ ହୁଏ ସମାପ୍ତ
ଜନମ ମରଣ ଅବଧି ଭିତରେ
ଏହା ହୁଏ ଅଭିନୀତ ।।
ବୁନ୍ଦାଏ ତରଳୁ ଆରମ୍ଭ ଜୀବନ
ମୁଠେ ପାଉଁଶରେ ଶେଷ
ଏକା ଆସି ନର ଏକା ଚାଲିଯାଏ
ରହିଯାଏ ତା'ର ଯଶ ।।
ଧନ ଦଉଲତ ପାଇଁ କେହି ହେଲେ
ହୋଇ ପାରେନି ଅମର
ସତ୍ କର୍ମମାନ କରିଥିଲେ ନର
ମରି ବି ହୁଏ ଅମର ।।
ମଣିଷ ଜୀବନ ମପା ଯାଏ ନାହିଁ
ବର୍ଷ ମାସ ଦି ଦଣ୍ଡେ
ପରଲାଗି ଭଲ କର୍ମ କରିଗଲେ
ନାମ ଥିବ ସର୍ବ ତୁ୍ଣ୍ଡେ ।।
ହାଟୁଆ ହାତରୁ କଉଡି ସରିଲେ
ହାଟଛାଡି ଫେରିଆସେ
ଆୟୂ ସରିଗଲେ ମଣିଷ ସେମିତି
ସଂସାର ଛାଡଇ ଶେଷେ ।।
ଏକା ଆସେ ନର ଏକା ଚାଲିଯାଏ
ଯାଏନି ସାଥିରେ କେହି
ମିଛେ ନିଜ ପର ଭାବ ମନେ ବହି
ଦୁଃଖ କଷ୍ଟ ଭୋଗୁଥାଇ ।।
କେହି ରହିନାହିଁ କେହି ରହିବନି
ଭବ ରଙ୍ଗମଞ୍ଚପରେ
ନିଜ କର୍ମମାନ ଠିକ୍ ଭାବେ କଲେ
ଯଶ ତା' ସର୍ବ ମୁଖରେ ।।