ସବୁଜ ସୁନ୍ଦର ପାହାଡ଼
ସବୁଜ ସୁନ୍ଦର ପାହାଡ଼
ପାହାଡ଼ ତୁ କାହିଁ ସବୁଜ ସୁନ୍ଦର
କେଉଁଠି ଧୂସର ଲଣ୍ଡା,
ପାଦଦେଶେ ତୋର ଚାଷ ଜମି ସହ
ରହିଥାଏ ଗାଆଁ ଗଣ୍ଡା ।
ତୋ ବକ୍ଷରୁ ଝରି ଆସଇ ଝରଣା
ଜଳ ଦାନେ ହୋଇ ରତ,
ଜୀବଜନ୍ତୁ ଆଉ ଉଦ୍ଭିଦମାନଙ୍କ
କରଇ ଅଶେଷ ହିତ ।
ଯେଉଁଠି ତୁ ଲଣ୍ଡା ଖଣିଜରେ ପୂର୍ଣ୍ଣ
ନର କରି କଉଶଳ,
ଧାତଵ ପଦାର୍ଥ ବାହାର କରଇ
ଦେଖୁଥାଉ ଜଳଜଳ ।
ସାମାଜିକ ବନୀକରଣ କରିଲେ
ବିଶୁଦ୍ଧ ହୋଇବ ବାୟୁ,
ତୋର ଲଣ୍ଡା ବୁକୁ ସୁନ୍ଦର ଦିଶିବ
ବଢ଼ିବ ମାନବ ଆୟୁ ।
ନାନାଜାତି ଫୁଲ ଫଳେ ତୁ ହସିବୁ
ପକ୍ଷୀଏ ଗାଇବେ ଗୀତ,
ସୌନ୍ଦର୍ଯ୍ୟ ପିପାସୁ କବି ଭାବୁକଙ୍କ
ପ୍ରସନ୍ନ ହୋଇବ ଚିତ୍ତ ।