ସବୁ ଯାଇଅଛି ହଜି
ସବୁ ଯାଇଅଛି ହଜି
ମନରୁ ହଜିଛି ସ୍ନେହ ଆଉ ପ୍ରେମ
ହଜିଅଛି ଭାଇଚାରା
ହିଂସା ଓ ଘୃଣାରେ ନିର୍ଦୟ ପଣରେ,
ଭରପୁର ଆଜି ଧରା ||
ଗୋଲାପ ଫୁଲରୁ ହଜିଅଛି ବାସ
ପବନର ମିଠା ଛୁଆଁ
ହଜିଯାଇଅଛି ମଧୁଭରା ରାତି,
ସବୁକିଛି ଲାଗେ ନୂଆ ||
ଗାଆଁରୁ ହଜିଛି ଭାଗବତ ଟୁଙ୍ଗି
ହଜିଛି ସେ' ତାଳବଣ
ହଜିଛି ବସନ୍ତେ କୋଇଲିର କୁହୁ,
ବିଷାଦେ ଭରା ଏ' ମନ ||
ନିଜ ସ୍ୱାର୍ଥ ପାଇଁ ଦୁନିଆଁ ଭିଡ଼ରେ
ମଣିଷ ଯାଇଛି ହଜି
ସେଥିପାଇଁ ଆଉ ପାଉନାହିଁ ପାଖେ,
ସୁଖ ଓ ଶାନ୍ତିକୁ ଖୋଜି ||
