ସ୍ବାଧୀନ ହୋଇ ବି ପରାଧୀନ
ସ୍ବାଧୀନ ହୋଇ ବି ପରାଧୀନ
ଗରବେ କହୁଛୁ ଆମେରେ ସ୍ବାଧୀନ
ପାଳୁଛୁ ଅଗଷ୍ଟ ପନ୍ଦର,
କିଏ ସେ ସ୍ବାଧୀନ କିଏ ପରାଧୀନ
ଜାଣିଛି ଆମରି ଅନ୍ତର ।
କେତେ କେତେ ଲୋକ ବଳିଦାନ ଦେଇ
ବିଦେଶୀ ଶାସନ ତଡିଲେ ,
କି ଲାଭ ପାଇଲୁ ବିଦେଶୀଙ୍କୁ ତଡି
ଅଣ୍ଟି ଛୁରି ତଣ୍ଟି କାଟିଲେ ।
ଦାନା ଟିକେ ପାଇଁ କାନ୍ଦୁଛି ଗରିବ
ବଢୁଛି ଧର୍ଷଣ ଲୁଣ୍ଠନ ,
ଚାଷୀ ପୁଣି ଏଠି କରେ ଆତ୍ମହତ୍ୟା
ତଥାପି ମୋ ଦେଶ ସ୍ବାଧୀନ ।
ନିର୍ଭୟା କାନ୍ଦୁଛି ବେବିନା କାନ୍ଦୁଛି
ଇତିଶ୍ରୀ ଚିତ୍କାର ଶୁଭୁଛି ,
ସାଇକେଲ ପୁଣି ଖଟିଆରେ ଏଠି
ରୋଗୀ ଶବ ବୁହା ହେଉଛି ।
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଏଠି
ମନ୍ତ୍ରୀ ନେତା ସଭା ହେଉଛି ,
କୋଟି କୋଟି ଲୋକ ଭୋକରେ ମରନ୍ତି
ତାଙ୍କ କଥା କିଏ ବୁଝୁଛି ।
ତଥାପି ଆମେରେ ଗରବେ କହୁଛୁ
ଅଗଷ୍ଟ ପନ୍ଦର ଆସିଛି ,
ସ୍ବାଧୀନତା ଆଉ ପରାଧୀନତାର
ମୂଲ୍ୟ କିଏ ବୁଝିପାରିଛି ।