ସ୍ବାଧୀନ ଦେଶରେ ଖଟନ୍ତି ଗୋତି
ସ୍ବାଧୀନ ଦେଶରେ ଖଟନ୍ତି ଗୋତି
ସ୍ବାଧୀନ ଦେଶରେ ଆଜିବି ମଣିଷ
ଖଟୁଛି ଗୋତି
ଭିଟାମାଟି ଛାଡି ବିଦେଶକୁ ଯାଏ
ଦାଦନ ଖଟି ।
ଗରିବୀ ଗଞ୍ଜଣା ସହି ନପାରି ସେ
ଯାଆନ୍ତି ଦୂରେ
ଭାଗ୍ୟ କାଳେ ତାଙ୍କୁ ଭରଷା ହୋଇବ
ଏଇ ଆଶାରେ ।
କୁଆଡେ ଯାଆନ୍ତି କେମିତି ରୁହନ୍ତି
ବୁଝେନା କେହି
ଶୁଖିଲା ପେଟରେ ଖଟନ୍ତି ନିଇତି
ରକତ ଦେଇ ।
ଖଟଣି ଯେତିକି ମିଳେନାହିଁ ତାଙ୍କୁ
ସେତିକି ମୂଲ
ରୋଗବାଧି ହେଲେ ଓଷଦ ମିଳେନି
କି କଲବଲ ।
ଫେରିବା କଥାତ ଭାବିଲା ବେଳକୁ
ପାଏନି ଆଖି
ଫେରି ନପାରି କା ପ୍ରବାସେ ଉଡଇ
ପରାଣ ପକ୍ଷୀ ।
ଅନାଥ ହୁଅନ୍ତି ପିଲା ପରିବାର
ହରାଇ ରାହା
ଦୀନଦୁଖୀଙ୍କୁ ବା କିଏସେ କାହିଁକି
ହୋଇବ ସାହା ।
ତଥାପି ଗରବେ କହୁଅଛୁ ଆମେ
ସ୍ବାଧୀନ ବୋଲି
ସ୍ବାଧୀନ ଦେଶରେ ପରାଧୀନଙ୍କୁ ତ
ଯାଉଛୁ ଭୁଲି ।