ସାଥୀ
ସାଥୀ
ମାନବ ହେଉକି ଯେକୌଣସି ପ୍ରାଣୀ
ସାଙ୍ଗ ସାଥୀ ନେଇ ରହେ,
ନିଃସଙ୍ଗ ଜୀବନ ସଭିଙ୍କର ପାଇଁ
କଷ୍ଟକର ହୋଇଥାଏ l
ସାଥୀଟିଏ ଆମ ବାଡିଟିଏ ପରି
ସାହସ ତା' ଯୋଗୁଁ ମିଳେ,
ବିପଦ ଆପଦେ ସାହା ମିଳିଥାଏ
ଜୀବନ ପରିଧି କାଳେ l
ବାଲ୍ୟସାଥୀ ମେଳେ ବାଲ୍ୟ ବୟସଟି
କଟିଯାଏ ଖେଳି ବୁଲି,
ଯୌବନ କାଳରେ ଜୀବନ ସାଥୀଙ୍କ
ସ୍ନେହ ପ୍ରେମ ନୁହେଁ ଭୁଲି l
ପ୍ରଭୁ ରାମଙ୍କର ବିପଦ ବେଳରେ
ସୁଗ୍ରୀବ ଯେ ସାଥୀ ହେଲେ,
ଦୁହେଁ ଦୁହିଁଙ୍କର ବିପଦ ବେଳରେ
ସହାୟତା କରିଥିଲେ l
ଦରିଦ୍ର ବ୍ରାହ୍ମଣ ସୁଦାମା ପାଇଲେ
ସଖା କୃଷ୍ଣଙ୍କ ସାନିଧ୍ୟ,
ଭୋକିଲା ବନ୍ଧୁମହାନ୍ତିଙ୍କୁ ଦେଲେ
ନିଜେ ଜଗନ୍ନାଥ ଖାଦ୍ୟ l
ପୁରାଣର ଠାରୁ ଇତିହାସ ଯାଏ
ମିତ ବଳେ ବଳୀୟାନ,
ହୋଇଛନ୍ତି କେତେ ଦୃଷ୍ଟାନ୍ତ ରହିଛି
କେତେ ରାଜା ଗରୀୟାନ l
ଜୀବନର ସବୁ ସମୟରେ ସାଥୀ
ମନରେ ଦିଅନ୍ତି ବଳ,
ବୟସର ଶେଷେ ପ୍ରଭୁ ଏକା ସାଥୀ
ଆମର ଶେଷ ସମ୍ବଳ l
