ସାଳନ୍ଦୀ ନଈ
ସାଳନ୍ଦୀ ନଈ


ସାଳନ୍ଦୀ ନଈ
========
ସାଳନ୍ଦୀ ନଈଲୋ ସାଳନ୍ଦୀ ନଈ l
ଶଇଳ ଶିଖରୁ ଆସିଛୁ ବହି ll
ମେଘାସନ ଗିରି ମୟୂରଭଞ୍ଜେ l
ଗନ୍ଧ ମାରଦନ ଶିରିକୁ ଗଞ୍ଜେ ll
ଉତ୍ତୁଙ୍ଗ ଶିଖରୀ ପର୍ବତ ସେହି l
ତହିଁରୁ ପଡ଼ିଲୁ ଭୁଇଁକୁ ଡେଇଁ ll
ଶାଳବଣ ମଧ୍ୟେ ଗତି ତୁ କରି l
ବକ୍ଷେ ବହୁଥିଲା କ୍ଷୀର ତୋହରି ll
ନାମ ବହିଲୁ ତୁ ତହୁଁ ସାଳନ୍ଦୀ l
ହଦଗଡ଼ ଠାରେ ହୋଇଲୁ ବନ୍ଦି ll
କୃଷକଙ୍କ ଠାରେ କରୁଣା ବହି l
ଶ୍ୟାମଳ କଲୁ ତୁ ଚାଷୀଙ୍କ ଭୂଇଁ ll
ଓଡ଼ିଶାର ତୁହି ଭାକ୍ରାନାଙ୍ଗଲ l
ଭଦ୍ରକ ହୋଇଲା ଶସ୍ୟ ଶ୍ୟାମଳ ll
ଭଦ୍ରକର ତୁହି ଜୀବନ ରେଖା l
ଗର୍ଭ ତୋର ଏବେ ପଡ଼ିଛି ସୁଖା ll
କୂଳେ ତୋ ବସନ୍ତି ମାଆ କାଳିକା l
ତୋ ଗରଭେ ଦେଲୁ ଆଶ୍ରୟ ଏକା ll
ଭଦ୍ରକାଳୀ ଗଣ୍ଡ ଏବେ ବିରାଜି l
ଦପ୍ପା
ଗଣ୍ଡ କାହିଁ ଯାଇଛି ହଜି ll
କାନ୍ତକବି ତୋର କୁଳେ ଜନମି l
ଭାବି କରିଗଲେ କେତେ ସୃଜନୀ ll
ତୋ ବଡ଼ ଭଉଣୀ ବଇତରିଣୀ l
କୂଳେ ତା ବସନ୍ତି ମାଆ ତାରିଣୀ ll
ଚାରୁ ଅଳଙ୍କାର ତୁ ଉତ୍କଳର l
ମାଆ ଭଦ୍ରକାଳି ହୃଦୟେ ହାର ll
ବାବା ମଣି କୂଳେ ବସନ୍ତି ପୁଣି l
ତଳ ଦିଗେ ଥାଇ ଖାଆନ୍ତି ପାଣି ll
କଇଁଆଗୋଲାରେ ଯାଇଛୁ ବାଙ୍କି l
ବୈତରଣୀ ସଙ୍ଗେ ନାମ ତୋ ପଙ୍କି ll
ଇତିହାସ ତୋର ନୋହି କଳନା l
ଉତ୍କଳର ତୁହି ଯଥା ଯମୁନା ll
ତୋ ବକ୍ଷେ ଆଉ ନଆସଇ ବନ୍ୟା l
ଧନ୍ୟା ତୁହିଲୋ ମେଘାସନୀ କନ୍ୟା ll
ସାଳନ୍ଦୀ ନଈଲୋ କାଳିିନ୍ଦୀ ତୁହି l
ରହିଲି ତୋତେ ପ୍ରଣାମ ଜଣାଇ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା