ସାକ୍ଷୀ ଅଛି ମୁଖଶାଳା
ସାକ୍ଷୀ ଅଛି ମୁଖଶାଳା
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ସ୍ଥାନ ପାଇଅଛି
ସାକ୍ଷୀ ଅଛି ମୁଖଶାଳା ,
ବୁଝିଛି କେ' ଅବା ଯନ୍ତ୍ରଣା ତାହାର
ସେ ଏକ ନିର୍ଜୀବ ଶିଳା ।୧।
ନିହାଣ ମୁନରେ କେତେ କଷ୍ଟ ସହି
ପ୍ରୀତି ସ୍ପର୍ଶ ଆଙ୍କିଥିଲେ ,
ଜରାଜୀର୍ଣ୍ଣ ହୋଇ କୋଣାର୍କ କାନ୍ଦୁଛି
ମରଣ ଦୁଆର ତଳେ ।୨।
ଧରମାର କଷ୍ଟ ଧୋଇ ହୋଇଗଲା
ଚନ୍ଦ୍ରଭାଗା ଗଣ୍ଡ ଜଳେ ,
ଶତ କଳପନା ନିରାଶ ହୋଇଛି
ରାଜନୀତି ଆଜି ଖେଳେ ।୩।
ଇଂରେଜ ତ' ଯାହା ଭାଙ୍ଗି ଦେଇଗଲେ
ସେଦିନ ଯାଇଛି ବିତି ,
ଫମ୍ପା ଅନୁକମ୍ପା ଶତସୁର ଆଜି
ପାଲଟିଛି ରାଜନୀତି ।୪।
ହେ ଉତ୍କଳବାସୀ ହୁଅହେ ଜାଗ୍ରତ
କରୁଅଛି ନିବେଦନ ,
ଦୂରକର ଏହି ଶସ୍ତା ରାଜନୀତି
ଯୋଡ଼ ହେ' ସହସ୍ର ମନ ।୫।
ସାଥି ସହଚର ସାଥେ ସାଥେ ନେଇ
ଗଢ଼ କୋଣାରକ ନବ ,
ଯୁଗ ଯୁଗ ପାଇଁ ସ୍ମୃତି ରହିଯାଉ
ଉତ୍କଳର ଗଉରବ ।୬।
ଶ୍ରୀହୀନା କୋଣାର୍କ ସଜାଇ ଦିଅହେ
କର ନାହିଁ ଆଉ ଡେରି ,
ଜୀବନ୍ତ କରହେ ନିହାଣ ମୁନରେ
କୋଣାର୍କର ଶିଳା ଶିରୀ ।୭।
ଉତ୍କଳ ବିନ୍ଧାଣୀ କୋଣାର୍କର ସାଥି
ଉଠାଅ ତୁମ ନିହାଣ ,
କାଳର ଗରଭେ ବିଲୀନ କୋଣାର୍କ
କର ନବ ଉଦ୍ଧାରଣ ।୮।
