ସ୍ଵାଗତମ୍ ଦେବଶିଳ୍ପୀ
ସ୍ଵାଗତମ୍ ଦେବଶିଳ୍ପୀ
ସ୍ଵାଗତମ୍ ଦେବଶିଳ୍ପୀ !
ସ୍ଵାଗତମ୍ ସ୍ଵାଗତମ୍ ହେ ଦେବଶିଳ୍ପୀ ! !
ଭାଦ୍ରବର ଆଦ୍ରେ ହୃଦୟରେ ଭରି ଭକ୍ତି ଭାବ
କନ୍ୟା ସଂକ୍ରାନ୍ତିର ଶୁଭ ଲଗନେ କରୁ ଆବାହନ
ବ୍ରହ୍ମାଙ୍କ ନାଭି କମଳରୁ ଜନମ ଲଭି
ଅପାର କରୁଣାରେ କରିଛ ତୁମେ ଅମର ସୃଜନା
ଗଢ଼ିଛ ସ୍ଵର୍ଗର ଅମରାବତୀ ସୁନ୍ଦର ଅତି
ଖଞ୍ଜି ଦେଇଛ ଅଷ୍ଟରତ୍ନ ହୀରା ନୀଳା ମୋତି
ଅପୂର୍ବ ସେ କୃତିତ୍ବ ଦେଖାଇଛ ହୃଦୁ କଳ୍ପି।
ସ୍ଵାଗତମ୍ ଦେବଶିଳ୍ପୀ !
ସ୍ଵାଗତମ୍ ସ୍ଵାଗତମ୍ ହେ ଦେବଶିଳ୍ପୀ ! !
ପରଂବ୍ରହ୍ମ ନୀଳମଣି ସୃଷ୍ଟିର ଯିଏ ଆଧାର
ଯାହାଙ୍କ ଇଙ୍ଗିତରେ ଚାଲୁଛି ଏ ଚଉଦ ବ୍ରହ୍ମାଣ୍ଡ
ଆବିର୍ଭାବ ହୋଇ ବୃଦ୍ଧ ଅନନ୍ତ ମହାରଣା ବେଶେ
ଗଢ଼ିଲ ତାଙ୍କର ଅଧାଗଢ଼ା ଦାରୁବ୍ରହ୍ମ ମୂର୍ତ୍ତି
ରଖିଲେ ତାଙ୍କୁ ଏ ମାନବେ ଗଢ଼ି ଶ୍ରୀମନ୍ଦିର
ପାଇ ତବ ଆଶୀର୍ବାଦ ମର୍ତ୍ତ୍ୟରେ କାରିଗର
ହୋଇଛି କଳା ସ୍ଥାପତ୍ୟରେ ନିପୁଣ
ଗଢ଼ିଛି ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଏକ ଆଶ୍ଚର୍ଯ୍ୟ
ଅଦ୍ୱିତୀୟ ବିଶ୍ଵରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର
ରାଜଧାନୀ ଭୁବନେଶ୍ଵରକୁ କରିଛି ମନ୍ଦିର ମାଳନୀ
ଲିଙ୍ଗରାଜ ବାରବାଟୀ ଦୁର୍ଗ ଖଣ୍ଡଗିରି ଉଦୟଗିରିର
ବୌଦ୍ଧ ଜୈନ ଧର୍ମର ଯେତେ ସୁକିର୍ତ୍ତୀମାନ
ଧଉଳି ଗିରି ଜଉଗଡ଼େ ଅଶୋକଙ୍କ
ତଥା ଖାରବେଳଙ୍କ ଐତିହାସିକ ଶିଳାଲେଖ
ଆଜି ବି ଚମକେ ତା' ମଧ୍ୟେ କଳା ସ୍ଥାପତ୍ୟ
ଇତି ହେବ ନାହିଁ ଯାହା କଦାପି।
ସ୍ଵାଗତମ୍ ଦେବଶିଳ୍ପୀ !
ସ୍ଵାଗତମ୍ ସ୍ଵାଗତମ୍ ହେ ଦେବଶିଳ୍ପୀ ! !
ଦିବ୍ୟ ଚେତନାରେ ମାନବେ ହୋଇ ଉଦବୁଦ୍ଧ
ନିର୍ମାଣିଲେ ହୀରାକୁଦ ବନ୍ଧ ରାସ୍ତା ଘାଟ ପୋଲ
ଶିଳ୍ପ କଳ କାରଖାନା ଆଦି ଯେ ବିଶେଷ
ଗଢ଼ି ଜହାଜ ଉଡ଼ାଜାହାଜ ଚନ୍ଦ୍ରଯାନ ସୂର୍ଯ୍ୟଯାନ
ସମୁଦ୍ର ଆକାଶେ କରନ୍ତି ପ୍ରଦକ୍ଷିଣ
ଗଢ଼ନ୍ତି ପୁନଃ ପୁନଃ ନଭଶ୍ଚୁମ୍ଭୀ ଅଟାଳିକା ମାନ
ସୁଖ ଶାନ୍ତି ଆନନ୍ଦେ କରନ୍ତି ଭୋଗ ବିଳାସ
ସବୁ ତବ କୃପା ଆଶିଷ ଦାନ ହେ ବିଶ୍ଵକର୍ମା
ନ୍ୟାୟ ନୀତି ଆଦର୍ଶରେ ମଣିଷ ହୋଇ ସତ୍ୟଧର୍ମା
ସହୃଦୟରେ ଭକ୍ତିର ନୈବେଦ୍ୟ ତୁମକୁ ଦିଅନ୍ତି ଅର୍ପି।
ସ୍ଵାଗତମ୍ ଦେବଶିଳ୍ପୀ !
ସ୍ଵାଗତମ୍ ସ୍ଵାଗତମ୍ ହେ ଦେବଶିଳ୍ପୀ ! !
ମାତ୍ର ଆଜି ମାନସିକ ଦ୍ଵନ୍ଦେ ମଣିଷ କରେ ଅବସାଦ
ବହୁ କ୍ଷେତ୍ରେ ଚାଲେ ଦୁର୍ନୀତି ଲାଞ୍ଚ ମିଛ
ନିର୍ମାଣ କାର୍ଯ୍ୟେ ହୁଏ ନାନା ପ୍ରକାର ଘୋଟାଲା
ଭୁଷୁଡି ପଡ଼େ ପୋଲ କୋଠାଘର କେତେ
ଅକାଳେ ଧନ ଜୀବନର ହୁଏ ଅପୂରଣୀୟ କ୍ଷତି
ଏ କି ପ୍ରଭୁ ମାନବ ଜାତିର ପ୍ରଗତି ନା ଅଗ୍ରଗତି ?
ଦେଖା ଦିଏ ହିଂସା ଦ୍ୱେଷ ବାଦ ବିବାଦ
ସ୍ଵାର୍ଥରେ ମଣିଷ ପାଲଟି ଯାଏ ଅବିବେକୀ
ତୁମେ ପ୍ରଭୁ ସବୁ କିଛିର ଅଛ ସାକ୍ଷୀ
କରୁଛି ଅନ୍ତରରୁ ସବିନୟେ ସ୍ତୁତି ହେ ବିଶ୍ଵକର୍ମା
ମଣିଷ ଭୁଲି ନ ଯାଉ ତାର ସୀମା
ଆଶିଷ କର ପ୍ରଭୁ ସୁନାର ସଂସାର ରହୁ ସୁରକ୍ଷିତେ
ସଭିଏଁ ତୁମକୁ ଉପାସନା କରନ୍ତୁ ଭକ୍ତି ଚିତ୍ତେ
ମାନବବାଦରେ ଦେବତ୍ଵର ଭାବ ଯାଉ ବ୍ୟାପୀ।
ସ୍ଵାଗତମ୍ ଦେବଶିଳ୍ପୀ !
ସ୍ଵାଗତମ୍ ସ୍ଵାଗତମ୍ ହେ ଦେବଶିଳ୍ପୀ ! !
