ସାଗର କୂଳେ
ସାଗର କୂଳେ
ମୁଁ ମୁହଁ ସଞ୍ଜ ର ବେଳାଭୂମି କୁ ଭଲ ପାଏ
ଭଲ ପାଏ ତାର ଆଗରେ ଦର୍ପ ଦେଖାଉଥିବା ସେ ସାଗର କୁ
ଭଲ ପାଏ ଆକାଶ ଓଠ ରେ ଲାଲିମା ଖେଳାଇ
ହଜି ଯାଉଥିବା ସେ ସୂରୁଜ କୁ
ପୁଣି ଭଲ ପାଏ ଧୀରେ ଧୀରେ ଉଇଁ ଆସୁଥିବା ଫିକା ଜନ୍ହ କୁ,
ଏଠି ବାଟବଣା ହୋଇଥିବା କେତେ
ଯେ ଶାମୁକା ସମାଧି ନେଇ ସାରିଲେଣି
ଆଉ କାହିଁ କେତେ ମୁକ୍ତା ଏଇ ଏବେ ଆସି
ବାଲି ସହ ବାଦ କରି ଫେରିଗଲେଣି,
କେତେ ଢେଉ ରୂପ ବଦଳେଇ
ମୋତେ ଦେଖି ହସିସାରିଲେଣି
କେତେ ଲୁଣି ପବନ ମୋ ଭିତର ର
ସ୍ନାୟୁ ଗୁଡା ଙ୍କୁ ଥଣ୍ଡା କରି ସାରିଲେଣି,
ଏମାନେ କେହି ବି ନିଜର ନୁହଁନ୍ତି
ହେଲେ ଏଇ ମୁହୂର୍ତ୍ତ ରେ ବେଶ୍ ନିଜର ଲାଗନ୍ତି,
ଏମାନେ ସବୁ ମୋ ଭିତର ର ଶୂନ୍ୟତା କୁ
ଭରି ଦିଅନ୍ତି ନିଃସର୍ତ୍ତ ରେ
ମୁଁ ଭୁଲିଯାଏ ବାସ୍ତବିକତା କୁ ସେହି କ୍ଷଣ ରେ
ଆଉ ହଜି ଯାଏ ସେ ଅଦୃଶ୍ୟ ଆଲିଙ୍ଗନ ରେ ,
ସେ ବାଲି ରୁ ମୁଠେ ବୋଳି ହୋଇ ଦେହେ
ମୁଁ ସେ ସମୁଦ୍ର କୁ କୁହେ
ଆ ମୋତେ ବି କୋଳେଇ ନେ !
ହଜେଇ ଦେ ମୋର ସବୁ ଅତୀତ ବର୍ତ୍ତମାନ ର ପଦଚିହ୍ନ
ଆଉ ମୋର ସବୁ କଳଙ୍କ ର ଚିହ୍ନବର୍ଣ୍ଣ।
ସ୍ମୃତି
