STORYMIRROR

Smrutiprajna Kanungo

Abstract

4  

Smrutiprajna Kanungo

Abstract

ଶ୍ରେଷ୍ଠ ଯାଦୁଗର

ଶ୍ରେଷ୍ଠ ଯାଦୁଗର

1 min
26



ଦୁନିଆଟା ଯେତେ ବେଳେ ବିଷମୟ ଲାଗେ
ତା' ମୁହଁ ନାଚି ଯାଏ ଆଖି ଆଗରେ,
ସେ ସବୁ ଚମତ୍କାରଠୁ ଉର୍ଦ୍ଧ୍ବରେ
ସବୁ ସାଧନାର ଆଧାରରେ,
ସତେ ନିଜେ ଏକ ବଡ଼ ଚମତ୍କାର 
କେଉଁ ଅଦ୍ଭୁତ କାହାଣୀର ଚିତ୍ରକର।

କେଉଁ ଦୁର୍ମୂଲ୍ୟ ରତ୍ନରେ ଚମତ୍କୃତ ତା' ଆଭା
ତା' ହସ ଆଗରେ ଲକ୍ଷେ ଦ୍ୱିତୀୟା ଚାନ୍ଦ ଫିକା,
ତା' ଆଖି ହଳକ ଆଖି ନୁହେଁ 
ଗଭୀର ସାଗରର ଭଉଁରୀ ସତେ,
ଯେତେ ଯେତେ ତା' ଆଖିକୁ ଦେଖେ 
ସେତେ ସେତେ ତାକୁ ବୁଝିବାରେ ମାତେ ।

କାହିଁ କେତେ ରହସ୍ୟ ଭର୍ତ୍ତି ସେ ଆଖି ଭିତରେ
ସତେ ସାଇତିଛି ତା' ଜୀବନ 
କାଚକେନ୍ଦୁ ପାଣିର ସିନ୍ଦୁକ ଭିତରେ,
ସେ ତା' ଇସାରାରେ ମୋତେ ବାଟ ଚଲାଏ 
କେବେ ପକାଇ ଉଠାଏ, ତ ପୁଣି କେବେ ଉଠେଇ ପକାଏ ।

ସେ ତା' ଇଚ୍ଛାରେ ମୋତେ ସ୍ୱପ୍ନ ଦେଖାଏ 
ସ୍ୱପ୍ନ ସବୁ ସତ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦିଏ
ଆଉ ପୁଣି ଭୁଲି ଯାଏ ,
ଛାଡ଼ି ଚାଲିଯାଏ ପୁଣି କେଉଁ ଅଜଣା ବାଟରେ ।

ଖୋଜେ ଯେବେ ଯେବେ ଘର ଠିକଣା 
ଆସି ପୁଣି ଅଟକେ ତା' ଅଗଣାରେ,
ତାକୁ ପ୍ରଶ୍ନ କରିବାର ଜୁ ପାଏନା 
ତା'ର ରହସ୍ୟ ମୁଁ ବୁଝି ପାରେନା,
ଚାରିପଟୁ ମୋତେ ଆବୃତ କରି ରଖେ
ତାହା ସୁରକ୍ଷା କି ଗୃହ ବନ୍ଦୀ ଜାଣି ହୁଏନା। 

ଆଖି ଖୋଲିଲେ ଅହରହ ସେ ଦିଶୁଥାଏ
ସବୁ ବେଳେ ସେ ମୋ ପାଖେପାଖେ ଥାଏ,
ପବନ ପରି ଛୁଇଁ ଯାଏ
ବର୍ଷା ପରି ଭିଜେଇ ଦିଏ
ଆଉ ନିଆଁ ପରି ଜଳେଇ ଦିଏ
ଶେଷରେ ମାଟିରେ ମିଶେଇ ଦିଏ,
ଭାବନାର ଢେଉ ପ୍ରତିଦିନ ଲହଡ଼ି ଭାଙ୍ଗନ୍ତି 
ପୁଣି ରେଣୁ ରେଣୁ ମିଶି ମୋ ଅନ୍ତର ଗଢନ୍ତି ।
ଦୟା, କ୍ଷମା ଆଉ ଆବେଗ ସଜାନ୍ତି 
ତା'ଠୁ କିଛି ଅଂଶ ନେଇ ମୋ ଦେହେ ମିଶାନ୍ତି ।

ଯେବେ ଯେବେ ତା' ରହସ୍ୟ ବୁଝିବାକୁ ପ୍ରଶ୍ନ କରିଛି
ସେ ମୋ କଥାକୁ ଆଡେଇ ସଜେଇଦେଇଛି 
ମୋତେ କେଉଁ କାବ୍ୟର ଭାବ, କେଉଁ ସଙ୍ଗୀତର ରାଗ 
ପୁଣି ସେ ସ୍ରଷ୍ଟା ସାଜି ଯାଇଛି,
ଦୁନିଆ ଆଗରେ ସେ ପୁଣି ହୋଇଯାଏ ଶ୍ରେଷ୍ଠ ଯାଦୁଗର
ଆଉ ମୁଁ ସାଜିଥାଏ ମାଧ୍ୟମ ମାତ୍ର
ତା'ର ଲୀଳା ଖେଳାର 
ତା' ଲୀଳା ଖେଳାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract