ସାଧନା
ସାଧନା
ସାଧନାର ବଳେ ସିଦ୍ଧି ଲାଭ ମିଳେ
କହିଥାନ୍ତି ସାଧୁଜନ,
ସେଥିପାଇଁ ଯୋଗୀ ଘର ଦ୍ୱାର ତ୍ୟାଗି
ଖୋଜନ୍ତି ନିରୋଳା ସ୍ଥାନ l
ରାଜପୁତ୍ର ହୋଇ ସିଦ୍ଧାର୍ଥ ଛାଡିଲେ
ପତ୍ନୀ ପୁତ୍ରଙ୍କର ସ୍ନେହ,
ନିରଞ୍ଜନା ତଟେ ଧ୍ୟାନରେ ବସିଲେ
ଛାଡି ସଂସାରର ମୋହ l
ମାନବର ଚାରି ଅବସ୍ଥାକୁ ଦେଖି
ମନ ତାଙ୍କ ହେଲା ଧନ୍ଦି l
କପିଳାବାସ୍ତୁର ଭାବୀ ରାଜପଦ
ପାରିଲାନି ତାଙ୍କୁ ବାନ୍ଧି l
ସାଧନା ବଳରେ ଜ୍ଞାନ ଲାଭ କଲେ
ବୁଦ୍ଧ ଭାବେ ହେଲେ ଜଣା,
ସାଧନାର ଜ୍ଞାନ ବାଣ୍ଟିଲେ ଜଗତେ
ପାଇ ସେ ଦିବ୍ୟ କରୁଣା l
ସାଧନା ବଳରେ ଦଶ୍ୟୁ ରତ୍ନାକର
ଓଲଟାଇ ରାମ ଡାକି,
ବାଲ୍ମୀକି ଭାବରେ ହେଲେ ପରିଚିତ
ରାମାୟଣ ଗ୍ରନ୍ଥ ଲେଖି l
ସାଧନାର ମାର୍ଗ କଷ୍ଟ ହୋଇଲେବି
ଅଭ୍ୟାସ ତା' ନିରନ୍ତର,
ବ୍ୟାୟାମ ହେଉ ବା କୁସ୍ତି କସରତ
ଜୀବନର ଏ ବେଭାର l
ଲଗାତାର ଭାବେ ଅଭ୍ୟାସ କରିବା
ସାଧନାର ଅନ୍ୟ ନାମ,
ଧ୍ରୁବ, ପ୍ରହ୍ଲାଦ ତାହାରି ବଳରେ
କଲେ ଈଶ୍ୱର ଦର୍ଶନ l
ସର୍ବ ସାଧନାର ଏକ ମାତ୍ର ସିଦ୍ଧି
ଅଟନ୍ତି ପରମେଶ୍ୱର,
ତାଙ୍କ କୃପା ବଳେ ସାଧକ ଜୀବନେ
ଘଟିଥାଏ ରୂପାନ୍ତର l
ବିଦ୍ୟା ହେଉ ଅବା ଯେକୌଣସି କର୍ମ
ନିଷ୍ଠା ଓ ସାଧନା ବଳେ,
ଜୀବନରେ ଦିନେ ସଫଳତା ମିଳେ
ଦୃଢତା ମନରେ ଥିଲେ l
ଶରୀର ହେଉ ବା ମନର ସାଧନା
ଜୀବନରେ ନିତ୍ୟ ଆଣି,
ଜୀବନକୁ ଆମେ ସଫଳ କରିବା
ମହା ମନିଷୀଙ୍କ ବାଣୀ l
