STORYMIRROR

Niranjan Mishra

Abstract

4  

Niranjan Mishra

Abstract

ସାଧବ ଦୁଲଣୀ ତଅପୋଇ

ସାଧବ ଦୁଲଣୀ ତଅପୋଇ

2 mins
313


ଅତି ଅଲିଅଳି ସାଧବ ଦୁଲାଳି

ହୋଇଥାଏ ତଅପୋଇ ।

ସାତ ଭାଇରେ ସେ ଗୋଟିଏ ଭଉଣୀ

ସଭିଙ୍କର ପ୍ରିୟ ସେଇ ।୧।

ବାଲି ଖେଳୁଥିଲା ବାଳୁତ ଝିଅଟି

ଦେଖିଲା ବାଲୁକା ଥୋଇ ।

ମଙ୍ଗଳା ପୂଜନ୍ତି ଆନ ଝିଅମାନେ

ନିଜ ନିଜ ଭାଇ ପାଇଁ ।୨।

ବାଲି ଖେଳୁଥିଲା କୁଲେଇଟି ଧରି

ରାଣ୍ଡୀ ବ୍ରାହ୍ମଣୀ ଦେଖିଲା ।

ଏଡେ ବଡ ସାଧବର ଝିଅ ଏ

କୁଲେଇରେ ଖେଳୁ କହିଲା ।୩।

ସୁନା କୁଲେଇରେ ଖେଳନ୍ତି ମୁଁ

ହୋଇଥିଲେ ତୋର ସମ ସରି ।

ରୂପା ଚାନ୍ଦକୁ ମୁଁ ପାଛୁଡୁ ଥାଆନ୍ତି

ସୁନା କୁଲେଇରେ ଧରି ।୪।

ଅଳି କଲା ଅଲିଅଳି ତଅପୋଇ

ବାପା ମାଆଙ୍କ ପାଶରେ ।

ରୂପା ଚାନ୍ଦ ମୋତେ ଦିଅ ଆଣି

ପାଛୁଡିବି ସୁନା କୁଲେଇରେ ।୫।

ରୂପା ଚାନ୍ଦ ଗଢା ହେଉ ହେଉ

ବାପା ଅଧା ଚାନ୍ଦରେ ମରିଲେ ।

ପୂର୍ଣ୍ଣ ଚାନ୍ଦ ଯେବେ ଗଢା ସରିଗଲା

ସଂସାରୁ ମାଆ ଚଳିଲେ ।୬।

ଭାଇମାନେ ଜାଭା ସୁମାତ୍ରା ଚଳିଲେ

ବୋଇତେ ବଣିଜ କରି ।

ଛଅ ଭାଉଜଙ୍କ ଅତ୍ୟାଚାରେ ସିଏ

ଅତିଷ୍ଠ ହୋଇଲା ଭାରି ।୭।

ବଡ ଛ ଭାଉଜ ଛେଳି ଜଗାଇଲେ

ତଅପୋଇ ଯାଏ ବଣେ ।

ହଜିଗଲା ଘରମଣି ଛେଳି ଯେବେ

ଧିକ୍କାରିଲେ ଜଣେ ଜଣେ ।୮।

ଛେଳିକୁ ଆଣିଲେ ଘରକୁ ଆସିବୁ

ନ ହେଲେ ଆସିବୁ ନାହିଁ ।

ଅତି ଅଲିଅଳି ତଅପୋଇ ଦୁଃଖ

କିଏ ସେ ପାରିବ କହି ? ୯।

ସାନ ଭାଉଜଟି ନୀଳେନ୍ଦ୍ରି ତାହାର

ଅତି ଭଲ ତାକୁ ପାଏ ।

ଯାଆମାନଙ୍କର ଆଗରେ ତାହାର

କିଛି ହିଁ କଥା ନ ରହେ ।୧୦।

କାନ୍ଦି କାନ୍ଦି ବନେ ଛେଳି ଖୋଜୁଥାଏ

ଅଲିଅଳି ତଅପୋଇ ।

ମଙ୍ଗଳା ମାତାଙ୍କ ପୂଜା ମନାସିଲା

ଭଲରେ ଫେରିଲେ ଭାଇ ।୧୧।

ବୋଇତ ଫେରିଲା ଭାଇମାନେ କାନ୍ଦ

ଶୁଣି ବନେ ତାକୁ ପାଇ।

ଦେଖିଲେ ସେ ତାଙ୍କ ସୋହାଗୀ ଭଉଣୀ

ସୁନାନାକୀ ତଅପୋଇ ।୧୨।

ସବୁ ଶୁଣି ତାକୁ ବୋଇତରେ ମଙ୍ଗେ

ମଙ୍ଗଳା ରୂପେ ବସାଇ ।

ସାଧବାଣୀମାନେ ଆସିଲେ ତାହାଙ୍କୁ

କହିଲେ ଦିଅ ବନ୍ଦାଇ ।୧୩।

ଛଅ ଭାଉଜଙ୍କ ନାକକୁ କାଟିଲା

ଅଲିଅଳି ତଅପୋଇ ।

ସାନ ଭାଉଜକୁ ହୃଦୟର ହାର

ଗଳାରେ ଦେଲା ଲମ୍ବାଇ ।୧୪।

ମାଆ ମଙ୍ଗଳାଙ୍କ କରୁଣା ହୋଇଲା

ଭାଇ ଫେରିଲେ ଶୁଭରେ ।

ଅଲିଅଳି ତଅପୋଇ ପୂଜେ ତାଙ୍କୁ

ଭକତି ଭାବ ଶ୍ରଦ୍ଧାରେ ।୧୫।

ଖୁଦୁରୁକୁଣୀ ଓଷା ଆମ ଓଡ଼ିଆ

ଝିଅମାନେ ଭାଇ ପାଇଁ ।

କରନ୍ତି ପାଳନ ସାଧବ ଦୁଲଣୀ

ତଅପୋଇ ଗୀତ ଗାଇ ।୧୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract