ସାଧାରଣତନ୍ତ୍ର ଦିବସ।
ସାଧାରଣତନ୍ତ୍ର ଦିବସ।
ବଜାରେ ବଜା ବାଇଦ ବଜା
ତ୍ରିରଙ୍ଗାରେ ଦେଶ ହୋଉଛି ସଜା,
ସାଧାରଣତନ୍ତ୍ର ଦିବସ ଆଜି
ସର୍ବେଛନ୍ତି ଦେଶପ୍ରେମରେ ମଜ୍ଜି।।
ଜାତୀୟ ସଙ୍ଗୀତ ଗାଇ ଗାଇକା
ସାଜନ୍ତି ସର୍ବେ,ନାୟକ ନାୟିକା,
ତ୍ରିରଙ୍ଗାର କଏବାର ଶୁଭୁଛି
ଜାତିପ୍ରେମ ବହ୍ନି ଉଦ୍ବେଳୁ ଅଛି।।
ସ୍ୱାଧୀନ ଥିଲା ଏ ଭାରତ ବର୍ଷ
ନଥିଲା ବିଧି,ଆଇନି ବିଶେଷ,
ଦିନରାତି ବିଜ୍ଞ ଥିଲେ ଟି ଚେଇଁ
ଶାସନ, ଶୃଙ୍ଖଳା ତିଆରି ପାଇଁ।।
ମସିହା, ଯେ ଉଣେଇଶ ପଚାଶ
ଜାନୁଆରୀ ମାସ ଦିନ ଛବିଶ,
ନୂଆ ସମ୍ବିଧାନ ଆମ ଦେଶର
ପ୍ରଣୟନ କଲେ ଆମ୍ବେଦକର।।
ସେ'ଦିନକୁ ମନେ ରଖିବାପାଇଁ
ପାଳୁଛେ ପରବ ଏକାଠି ହୋଇ,
ବିଭିନ୍ନତା ମଧ୍ୟେ ସର୍ବେ ଏକତ୍ର
ସାର୍ବଭୌମ ଗଣତନ୍ତ୍ର ଏ ରାଷ୍ଟ୍ର।।
ଆଜି ପରାଦିନେ ଶପଥ ନେବା
ଏକତା ଅଖଣ୍ଡତା ସ୍ଥିତ ରଖିବା,
ଜାତି ଧର୍ମ ଭୁଲି ଏକାଠି ହେବା
ଭାରତ ମାତାର ଟେକ ରଖିବା।।
ଆମ ଦେଶ ରକ୍ଷା ଆମ ଦାୟିତ୍ୱ
ବୁଝି ବୁଝେଇବା ଏହି ମହତ୍ଵ,
ମାତୃଭୂମି ପାଇଁ କରିବା ପଣ
ଦେଶର ସେବାରେ ଢାଳିବା ପ୍ରାଣ।।
ଆମରି ତ୍ରିରଙ୍ଗା ଆମର ଟେକ
ଫରଫର ଉଡେ ଦେଖରେ ଦେଖ,
କୋଟି ଯୋଡହସ୍ତେ କର ପ୍ରଣାମ
ଉଡାଅ ତ୍ରିରଙ୍ଗା ଦେଶ ତମାମ।।
