ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
କରୋନା ଡରରେ ପତ୍ନୀ ଚିନ୍ତାକଲେ
ସାବିତ୍ରୀ ବ୍ରତକୁ ନେଇ ।
ଦୋକାନ ବଜାର ବନ୍ଦ ମିଳିବନି .....
ଦ୍ରବ୍ୟ ବିଧି ରକ୍ଷାପାଇଁ ।।୧।।
ଶାଢ଼ୀ,ଚୁଡି,ଶଙ୍ଖା, ସିନ୍ଦୂର,ଅଳତା
ସଜହେବ କେଉଁ ପରି ।
ନଡ଼ିଆ, କଦଳୀ, ଆମ୍ବ ଓ ପଣସ,
ଖଜୁରୀ କୋଳି ସପୁରି ।।୨।।
ସାବିତ୍ରୀଙ୍କ ପ୍ରିୟ ଏସବୁ ଜିନିଷ
ପୂଜା ଯୋଗାଡ଼ ଯେପରି ।
ଅମାବାସ୍ୟା ବିଧି ହେବ ଅସମ୍ଭବ
ମତା କ୍ରୋଧେ ଦେବେସାରି ।।୩।।
ସହଜେ କରୋନା ଅମ୍ଫାନର ବାତ୍ୟା
ବୁଝେନା କାହାର ଦୁଃଖ ।
ସାମାନ୍ୟ ଅଭାବେ ବଇରୀ ସାଧିବ
ସତ୍ୟାନାଶ ହେବ ସୁଖ ।।୪।।
କ୍ଵାରଣ୍ଟାଇନରେ ସଙ୍ଗରୋଦ୍ଧ ଆଦି
ସାମାଜିକ ଦୂରତାକୁ ।
ଦାଦନ ଶ୍ରମିକ ଫେରିବାର ଦୁଃଖ
ଦୁର୍ବିସହ ଜୀବନକୁ ।।୫।।
ପତିଙ୍କୁ ସରାଗେ ପତ୍ନୀ ସ୍ନେହକରି
ପଠାଇଲେ ବଜାରକୁ ।
ବିଚାରା ପତିଟା ଲାଚାର ହୋଇଲେ
ଶକ୍ତି ନାହିଁ ଅବଜ୍ଞାକୁ ।।୬।।
ବାଧ୍ୟହୋଇ ଗଲେ ମାକ୍ସ ପିନ୍ଧିମୁଖେ
ଝାଞ୍ଜି ଖରା ମଧ୍ୟାହ୍ନରେ ।
ସାମ୍ଭବ୍ୟ ଆଶଙ୍କା ଝଡ଼,ବର୍ଷା ବାତ୍ୟା
ବିପନ୍ନ ବଜାର ଡରେ ।।୭।।
ଜୁ ନାହି ପତ୍ନୀଙ୍କ ଆଦେଶ ଅମାନ୍ୟ
କେଉଁ ପୁରୁଷ ପକ୍ଷରେ ।
ଝୁଲାଟିଏ ଧରି ବଜାରେ ବୁଲିଲେ
ଥକିଗଲେ ହାଲିଆରେ ।।୮।।
ହଂସା ଉଡ଼ିଗଲା ଦରଦାମ ଦେଖି
ଜନତାଙ୍କ ଗହଳିରେ ।,
ଥକାହୋଇ ବସି କ୍ଳାନ୍ତ ଦୂରକଲେ
କିଛି କ୍ଷଣ ଅନ୍ତରରେ ।।୯।।
କିଞ୍ଚିତ ସାମଗ୍ରୀ ନେଇ ବାହୁଡ଼ିଲେ
କିଂକର୍ତ୍ତବ୍ୟବିମୂଢ଼ରେ ।
ମୁଣାଦେଖି ପତ୍ନୀ ଝାଉଁଳି ପଡ଼ିଲେ
ଅବସାଦ, ବେଦନାରେ ।।୧୦।।
ଏପରି ଅବସ୍ଥା ଦେଖି ଶ୍ରୀମତୀଙ୍କ
ପତି ଦେବ ଆତଙ୍କରେ ।
ପାଶେ ଯାଇ ପତି ସାଷ୍ଟାମ କରିଲେ
କହିଲେ ନାନା ପ୍ରକାରେ ।।୧୧।।
ପତି ବାକ୍ୟ ଶୁଣି ଅବୁଝା ଘରଣୀ
ମାନିଲେନି ସହଜରେ ।
ପରିସ୍ଥିତି ବ୍ୟାଖ୍ୟା କରିଲେ ସତ୍ତ୍ଵରେ
ତଥାପି ପତ୍ନୀ କ୍ରୋଧରେ ।।୧୨।।
ପତି ଯେତେବେଳେ ତାଣ୍ଡବ ରଚିଲେ
ପଡ଼ି ଗଲେ ପାଦତଳେ ।
କରୋନା ଅମ୍ଫାନ ଠାରୁ ପତି କୋପ
ମୃତ୍ୟୁ ହେବ ତତକାଳେ ।।୧୩।।
ପରିଶେଷେ ପତ୍ନୀ ପତିଙ୍କ ଭୟରେ
ମନକୁ ସାନ୍ତ୍ଵନା ଦେଲେ ।
ଅଳ୍ପ ସ୍ଵଳ୍ପ ନେଇ ସାବିତ୍ରୀ ପୂଜିଲେ
ସ୍ବାମୀଙ୍କୁ ସନ୍ତୋଷ କଲେ ।।୧୪।।
