ସ୍ୱୟଂ ସଂପୂର୍ଣ୍ଣା
ସ୍ୱୟଂ ସଂପୂର୍ଣ୍ଣା
ଏକ ଅବକ୍ଷୟମାନ ସଭ୍ୟତାର
ଛାତି ଉପରେ ସେ ଆଜି ଦଣ୍ଡାୟମାନ
ନିଜ ଅସ୍ମିତା ସହ କରି ସାଲିସ୍ ବାରବାର
ହେଲେ ସେଇ ଏକମାତ୍ର ଯୋଗସୂତ୍ର
ପୁରୁଣା ଆଉ ନୂଆ ଭିତରର ।
ସେ ଚାହିଁଲେ ନୀଳ ଆକାଶରୁ
ଛଡାଇ ଆଣି ପାରେ ଅମୃତର ଦୁଇଧାର
ପୁଣି ଆଗ୍ନେୟଗିରି ଭିତରୁ
ତରଳ ଅଗ୍ନି ଆଞୁଳା ଆଞୁଳା
ବଢାଇ ଦେଇପାରେ ସବୁ ସଂପର୍କର ସ୍ଥିତିସ୍ତାପକତା ।
ଦୋଳାୟମାନ ପେଣ୍ଡୁଲମ ଭଳି
ଝୁଲି ଚାଲିଥାଏ ଏରୁଣ୍ଡିର
ଏପଟ ଆଉ ସେପଟ ଦୁନିଆ ଭିତରେ
କେହି କେବେ ମାପନ୍ତିନି ତା'ର ଅନ୍ତରର ଗଭୀରତା
ଆଉ ପଢନ୍ତିନି ଆଖିର ନିରବତା ।
ଲୋଡା ନାହିଁ ତା'ର
କାହାରି ମିଥ୍ୟା ସମ୍ବେଦନଶୀଳତା
ସେ ସ୍ୱୟଂସମ୍ପୂର୍ଣ୍ଣା
କବଳିତ କରିପାରେ ନା ତାକୁ ଆଧୁନିକ ଯାନ୍ତ୍ରିକତା
ବିଧ୍ୱସ୍ତ ପୃଥିବୀର ଚିତ୍ର ଆଣିଦେଇ ପାରେ ତା'ର ଜଡତା ।
