ସ୍ୱଚ୍ଛ ଭାରତ ଅଭିଯାନ
ସ୍ୱଚ୍ଛ ଭାରତ ଅଭିଯାନ
ସ୍ୱଚ୍ଛ ଅଭିଯାନ କଲେ ପ୍ରଣୟନ
ନେତାଙ୍କ ହାତେ ଖଡ଼ିକା
ସଫା ରାସ୍ତା ଦେଖି ଅଳିଆକୁ ଫିଙ୍ଗି
ଫଟୋ ଉଠାଇବା ପକ୍କା
କେବେ, ଅଳିଆରେ ନାହିଁ ଦକା
ଲୋକେ ଜାଣିବାକୁ ପ୍ରହସନ ଖାଲି
ଭାବୁଛ କି ସର୍ବେ ବୋକା ।।
ଦେଲେ ପାଇଖାନା ଘରେ ଘରେ ସିନା
ଫାଇଲିରେ ହେଲା କାମ
କା'ର ଘର ନାହିଁ ମିଠା କଥା କହି
ଟଙ୍କା ଘର ହେଲା ଶୁନ
ଯାର, ପାଇଖାନା ଅଛି ଜାଣ
ଛେଳି ମେଣ୍ଢା ବୋଦା ଜାଳ କାଠ ଗଦା
ତା ମଧ୍ୟେ ହୋଇଛି ପୂର୍ଣ୍ଣ ।।
ଝାଡାଟି କୁଆଡେ ବାହାରକୁ ଗଲେ
ଆତ୍ମାକୁ ମିଳଇ ଶାନ୍ତି
ପାଇଖାନା ଘରେ ପଶିଗଲେ ଥରେ
କାହାକୁ ମାଡ଼ୁଛି ବାନ୍ତି
ସଦା, କହନ୍ତି ଲୋକେ ଏମିତି
କେବେ ବଦଳିବ ଏ ମାନସିକତା
ବଦଳିବ ଆମ ନୀତି ।।
ବଦଳି ନାହିଁ କି ବଦଳିବ ନାହିଁ
ଯେତେ କଲେ ସଚେତନ
ମନେ ମନେ ସର୍ବେ ନାଚୁଥାନ୍ତି ଗର୍ବେ
ମାନନ୍ତିନି ବଡ ସାନ
ସର୍ବେ, କହୁଛନ୍ତି ପ୍ରହସନ
ଆମ ଜେଜେ ବାପା ଚଉଦ ପୁରୁଷ
ଚଳଣି ସହ ସମାନ ।।
ଅଶିକ୍ଷିତ ଥିଲେ ଯାହା କରୁଥିଲେ
ସବୁ ନୁହଁଇ ପ୍ରେରଣା
ଶିକ୍ଷିତ ହୋଇଲେ ସବୁ ତଉଲିଲେ
କାହିଁ ହେବା ବାଟ ବଣା
ମିଛେ, ଗାଲୁରେ ମାର ଥୋବଣା
ସ୍ୱଚ୍ଛ ପରିବେଶ ସ୍ବାସ୍ଥ୍ୟ ପାଇଁ ହିତ
ଏ କଥା ନାହିଁ କି ଜଣା ।।
