ସ୍ୱାସ୍ଥ୍ୟ ହି ସମ୍ପଦ
ସ୍ୱାସ୍ଥ୍ୟ ହି ସମ୍ପଦ


ଶରୀର ମାଧ୍ୟମେ ଧର୍ମ ପାଳନର ବେଦୋପନିଷଦ ବାଣୀ
ଅସୁସ୍ଥ ଶରୀର ଆଶରୀରୀ ଠାରୁ ଅହିତକାରକ ଜାଣି।
ପତଂଜଳି ମହାମନା ଜଗତକୁ ସମର୍ପଣ କଲେ ଯୋଗ
ଯୋଗ ବଳେ ଦୃଢ ସମୃଦ୍ଧ ହୁଏ ଶରୀର ମନର ବେଗ ।
ପ୍ରାତ ସମୟରୁ ନିତ୍ୟ କର୍ମ ସାରି ପ୍ରାତ ଭ୍ରମଣରୁ ଫେରି
ଖୋଲା ସ୍ଥାନ ଯହିଁ ପବନ ଆଲୋକ ମୁକ୍ତ ଚଳାଚଳ କରି ।
ଶାନ୍ତ ସମାହିତ ଚିତ୍ତ ବୃତ୍ତେ ପଦ୍ମାସନ ଅବା ସିଦ୍ଧାସନ
ଭସ୍ତ୍ରିକା କଲେ ଶରୀରୁ ମଇଳା ହୋଇବଟି ନିଷ୍କାସନ ।
'କପାଳ ଭାତି' ର ପବନ ବୁହାଇ ଭିତର କରିବା ସଫା
'ଅନୁଲୋମ ବିଲୋମ' 'ଭ୍ରମରୀ' ସହିତ 'ଉଦଗ୍ରୀବ' ପାଂଚ ଦଫା ।
ପବନ ମୁକ୍ତାସନ ନୌକାସନ ସାଥିରେ ଧନୁରାସନ
ନୋଳି ନେତିଲୋଟା ଭୁଜଂଗାସନ ଆବର ମୟୂରାସନ ।
ଘଣ୍ଟାଟିଏ ଯଦି ସକାଳୁ ସକାଳୁ ନିଜ ପାଇଁ ଦେଇ ହେବ
ରୋଗ ବ୍ୟାଧି କାହିଁ ଛାଡି ପଳାଇବ ଡାକ୍ତର ମଶା ମାରିବ ।
ଫାଷ୍ଟ ଫୁଡ୍ ଖାଇ ମେଦ ବୃଦ୍ଧି କରୁ ଟିଭି ମୋବାଇଲ ସାଥୀ
କସରତ ନାହିଁ ଅଳସୁଆ ହୋଇ ରୋଗ ସାଂଗେ କରୁ ପ୍ରୀତି ।
ଅବ୍ୟବସ୍ଥିତ ଜୀବନ ଶୈଳୀ ବସ୍ତୁବାଦର ରାଜୁତି
ବ୍ୟସ୍ତ ବିବ୍ରତ ଧାଆଁ ଦଉଡରେ ହୋଇ ଆଉଟି ପାଉଟି ।
ଏକୋଇଶ ଜୁନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ବିଶ୍ୱ ସମୁଦାୟ ପାଳୁଛି ଆଦରେ ଭାରତର ବରଦାନ ।
ଯୋଗ ପ୍ରାଣାୟାମ ଜୀବନ ନାଟିକା ରେଚକ ପୁରକ ବଳ
ଯୋଗେଶ୍ୱର ବାଣୀ ଯୋଗ କ୍ଷେମ ଆମ ବହିବେ ବିଭୁ ସକଳ ।