STORYMIRROR

DHARITRI SAHU

Drama

4  

DHARITRI SAHU

Drama

ରୁଦ୍ଧ ଦ୍ଵାର

ରୁଦ୍ଧ ଦ୍ଵାର

1 min
290


ରୁଦ୍ଧ ଦ୍ଵାର ର ସେପଟେ 

ମୁଁ ଯେ ପୁରା ଅଣନିଃଶ୍ବାସୀ ଆଜି।

ଆଃ କିଏ ଟିକେ ଖୋଲି ଦିଅନ୍ତାନି

ରୁଦ୍ଧ ଦ୍ଵାର ସେପଟେ

ମୋ ପଢିନଥିବା ଖୋଲି ନ ଥିବା ବହିଟିକୁ,

ଯେଉଁ ଥିରେ ଲେଖା ଅଛି ମୋ ଆଈମା ଅମଳର ପୁରୁଣା ଇତିହାସ।

କିଏ ଟିକେ ଲେଖି ଦିଅନ୍ତାନି

ମୋ ମନର ନିଭୃତ କୋଣରେ

ସାଲୁ ବାଲୁ ହେଉଥିବା ଶବ୍ଦ ଗୁଡିକୁ,

ଯାହା ପାଲଟି ଯାଆନ୍ତା

ମୋ ମୋହ ,ମୋ କୋହ,ମୋ ମୋକ୍ଷର

ଏକ ଉଛୁଳା ପାଣ୍ଡୁଲିପି।

ଆଃ କିଏ ଟିକେ ପୋଛି ଦିଅନ୍ତାନି

ମୋ ଆଖିର ଏ ଉଷ୍ମ ଲୋତକ କଣିକାକୁ

ଯାହା ସୃଷ୍ଟି କରିବାକୁ ଚାହୁଁଛି

ଅନ୍ୟ ଏକ ଲବଣାକ୍ତ ସାଗରର ଭ୍ରମ।

କିଏ ଟିକେ ଫେରାଇ ଦିଅନ୍ତାନି

ମୋ ଜହ୍ନିଫୁଲିଆ ଅସହାୟ ଅତୀତକୁ

ଯାହା ଏବେ ନିଶ୍ଚିହ୍ନ ହେବାକୁ ବସିଛି

ଶତ ଶତ ପାଦ ଧୂଳିର ଝଡ଼ ଭିତରେ,

ନାଁ ମୋତେ ହିଁ ଉଦ୍ଧାର କରିବାକୁ ହେବ

ମୋ ବୟସର ଅସହାୟତା କୁ।

ମୋତେ ହିଁ ଉଦ୍ଧାର କରିବାକୁ ହେବ

ମୋ ପୂର୍ବଜ ଙ୍କର ଇତିହାସ କୁ।

ମୋତେ ହିଁ ଜୀବନ୍ୟାସ ଦେବାକୁ ହେବ

ମୋ ସମ୍ଭାବନା ର ସ୍ବପ୍ନ ସବୁକୁ।

ମୋତେ ହିଁ ରୋକି ବାକୁ ପଡ଼ିବ

ଏକଲବ୍ୟ ର ଦ୍ଵାହି ନେଇ

ସେ ଲବଣାକ୍ତ ସାଗରକୁ।

ମୁଁ ଜାଣେନା କେମିତି ?

କେମିତି ଏ ରୁଦ୍ଧ ଦ୍ଵାର ର ସୀମା ଡେଇଁ 

ମୋ ଅଜାଣତରେ ମୁଁ ହଜିଯାଉଛି

ସେହି ନିର୍ଜନ ମୁହଁ ଅନ୍ଧାରିଆ 

ବେଳାଭୂମି ଭିତରେ।

ଯେଉଁ ଠି ସମୁଦ୍ର ର 

ଉଛୁଳା ଯୌବନର ଅଦମନୀୟ ତୃଷ୍ଣା

ସୃଷ୍ଟି କରୁଛି, ଏକ ପ୍ରହେଳିକା ।

ସେଥିପାଇଁ ମୁଁ ଖୋଜୁଛି ,

ମୁଁ ଆଜି ଖୋଜୁଛି 

ଏକ ଅପଲକ ନୟନର ଭିତରେ

ଇନ୍ଦ୍ରଧନୁର ଅସ୍ମିତା କୁ 

ସାଇତି ରଖି ଖୋଜୁଛି, 

ସେହି ଅନୁଢା କୁଆଁରୀ କନିଆଁ ର

କେରି କରି ମଧୁମାଳତୀ ଗଭା କୁ,

ସେ ରଜ ଦୋଳି ର 

ମିଠା ପାନ ଖିଆ ଗୀତକୁ,

ସେ ଗାଁ ଦାଣ୍ଡ ଧୂଳିର ସାତ ରଙ୍ଗ ଅବିରକୁ,

ସେ କାଶତଣ୍ଡିର ଶାରଦୀୟ ଭେଟିକୁ।

ହେ" ମୋ ଅସହାୟତାକୁ ଶିଡ଼ି କରି

କେହିବି ରୁଦ୍ଧ ଦ୍ଵାର ର ଚାବିକୁ ରଖିଦିଅନା,ସେ 

ବୁଢୀ ଅସୁରୁଣୀ ର ସିନ୍ଧୁକରେ।

ମୋ ଅବରୁଦ୍ଧ ନିଃଶ୍ୱାସ ର 

ଶେଷ କାମ୍ୟ ଯେ ମୁକ୍ତି

ରୁଦ୍ଧ ଦ୍ଵାର ର ପଞ୍ଜୁରୀ ଭାଙ୍ଗି ଉଡି ବୁଲିବା ମୋ ପ୍ରାଣର ଅନ୍ତିମ ନିର୍ଯ୍ୟାସ,

 ମୁକ୍ତ ଆକାଶର ବିହଙ୍ଗ ସଦୃଶ୍ୟ 

ମୁଁ ଚାହେଁ ଏକ

ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ତରଙ୍ଗାୟିତ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama