STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା

1 min
12


ସ୍ନାନ ସ୍ନାନ ଦେବସ୍ନାନ   ଶ୍ରୀଜୀଉଙ୍କ ମହାସ୍ନାନ

   ହୁଏ ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥି,

ଛାଡି଼ ରତ୍ନ ସିଂହାସନ     ମଣ୍ଡପେ ବିରାଜମାନ

  ଜଗା ସଙ୍ଗେ ହୋଇ ଭାଇ ଭଉଣୀ ସାଥୀ,

      ଦୃଶ୍ୟ ଦିଶେ କି ମନୋରମ

    ପ୍ରଭୁଙ୍କର ସ୍ନାନ ବିଧି ଯେ ଅନୁପମ।

କାଳିଆ ବଳିଆ ବେନି  ସାଥେ ଭଉଣୀକୁ ଘେନି

   ଦର୍ଶନ ଦିଅନ୍ତି ସର୍ବେ ସ୍ନାନ ମଣ୍ଡପେ,

ଶ୍ରୀମନ୍ଦିରରେ ଶ୍ରୀଜୀଉ  ସହି ଜ୍ୟେଷ୍ଠ ଖରା ଦାଉ

   ଅତିଷ୍ଠ ଯେ କଷ୍ଟ ଯନ୍ତ୍ରଣାର ଉତ୍ତାପେ,

       ସ୍ନାନରେ ଶୀତଳ ଶ୍ରୀଅଙ୍ଗ

  ମାନବ ଲୀଳାରେ ଜଗା ଦେଖାନ୍ତି ଢଙ୍ଗ।

ହୋଇ ଅନାଥର ନାଥ     କୃପାସିନ୍ଧୁ ଜଗନ୍ନାଥ

   ମାନବେ ଶିଖାନ୍ତି ସଦା ଜୀବନ ନୀତି,

ଗ୍ରୀଷ୍ମ ପରେ ବର୍ଷାଋତୁ    ଧରାପୃଷ୍ଠେ ବୃଷ୍ଟିପାତୁ

   ସଂକଟ କରନ୍ତି ଦୂର ମିଳେ ଆଶ୍ଵସ୍ତି,

      ଧନ୍ୟ ତାଙ୍କ କୃପା ଅପାର

   ମାନବେ କରନ୍ତି ଶ୍ରଦ୍ଧା ବଡ଼ ଠାକୁର।

ଏକଶତ ଆଠ ଗରା      ସୁବର୍ଣ୍ଣ କୂପରୁ ପୁରା

   ସୁଶୀତଳ ଜଳ ଆସେ ସ୍ନାନ ବେଦୀକୁ,

ପଇଁତିରିଶେ କାଳିଆ   ତେତିଶେ ଭାଇ ବଳିଆ

  ବାଇଶ ଗରା ଜଳେ ସୁଭଦ୍ରା ଦେବୀଙ୍କୁ,

       ଅଠର ଗରା ସୁଦର୍ଶନେ

    ଶ୍ରୀଜୀଉଙ୍କ ସ୍ନାନ ହୁଏ ବିଧି ବିଧାନେ।

ଦେଖି ଏଇ ଦେବସ୍ନାନ    ଆନନ୍ଦିତ ହୁଏ ମନ

   ଭକ୍ତ ସମାବେଶେ ଥାନ୍ତି ପଣ୍ଡା ପୂଜାରୀ,

ଗଜା ବେଶେ ମହାପ୍ରଭୁ   ଦର୍ଶନ ଦେଇ ସଭିଙ୍କୁ  

   ଭବ ସଂସାରେ ରଖନ୍ତି ଜନେ ଉଦ୍ଧାରି,

       ନିରାକାର ବ୍ରହ୍ମେ ସାକାର  

    ଇଚ୍ଛାମୟ ଇଚ୍ଛାରେ କରନ୍ତି ବିହାର।  

ବଡ଼ ଦେଉଳେ ଚହଳ    ପ୍ରଭୁଙ୍କ ପଡେ ପହଡ଼   

    ଜ୍ଵର ହୋଇ ଅଣସର ଘରେ ରୁହନ୍ତି ,

ସେବକ ପାଳକ ରହି ସେବା ଯତ୍ନେ ମନ ମୋହି  

    ଶ୍ରୀଜୀଉମାନଙ୍କୁ ବେଗେ ସୁସ୍ଥ କରନ୍ତି,

       ଦିବ୍ୟ ରୂପେ ପ୍ରକାଶି କାନ୍ତି

     ସାରା ଜଗତକୁ ଦିଅନ୍ତି ସୁଖ ଶାନ୍ତି।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract