ଋତୁ ରାଜ ବର୍ଷା
ଋତୁ ରାଜ ବର୍ଷା
ଆଷାଢ଼ ଶ୍ରାବଣ ମାସ ପ୍ରବେଶ
ବରଷାରେ ଧରା ଜଳ ଅଶେଷ l
ଦେଖ କାଦମ୍ବିନୀ ନୀଳ ଅମ୍ବରେ
ଧରି କଳସକୁ କଟି ଦେଶରେ l
ସୂରଜ ଚନ୍ଦ୍ରମା କରଇ ଗ୍ରାସ
ଢାଲିଛି ଅମ୍ବରୁ ଅମୃତ ରସ l
ପ୍ରାଣୀଙ୍କ ଆରତ ଥିଲା ଦୁର୍ଦ୍ଦଶା
ହଟେ ରୁଦ୍ର ତାପ ଅନଳ ବର୍ଷା l
ସରସୀ ଭରିଛି ବରଷା ଜଳେ
ମଣ୍ଡୁକ ଗରଜେ ଆସିଣ କୂଳେ l
ଦେଖେ ନୀଳକଇଁ ସରସୀ ଜଳେ
ରହିଥାଏ ସେତ କମଳ ମେଳେ l
ଫୁଲେ ଫୁଲେ ଅଳି କରେ ଭ୍ରମଣ
ସରସୀ ଜଳରେ କରେ ରମଣ l
ବିଜୁଳି ବରଷା କରେ ଗର୍ଜ୍ଜନ
ଶୁଭେ ଘଡ ଘଡି ଛନକା ମନ l
ଚାଷୀ ଚାହିଁଥିଲା ଚାତକ ହୋଇ
ହଳ ଲଙ୍ଗଳରେ ଚାଷିଲା ଭୂଇଁ l
ବରଷା କଷଣ କେତେ ଯେ ଦଣ୍ଡ
ଦେଶ ପାଇଁ ସଦା ସେ ମେରୁଦଣ୍ଡ l
ଧରିତ୍ରୀ ହୋଇଲା ସବୁଜ ରାଣୀ
ଶସ୍ୟ ଭରିଦେଇ କରିଲା ଋଣୀ l
ସବୁଜ ଧରାରେ ସାଧବ ବୋହୁ
ନାଲି ଟୁକୁ ଟୁକୁ ଆଗେ ଦେଖଉ l
କରିଛି ତା ସଙ୍ଗେ ଅନେକ ଖେଳ
ଏବେ ଦିଶୁନାହିଁ ତାଙ୍କର ମେଳ l
ଦେଖେ ଖଦ୍ୟୋତିକା ହୁଏନି ଗଣି
ଅମା ଅନ୍ଧକାର କରେ ରୋଷଣି l
ପାଠେ ଲାଗେ ନାହିଁ ପିଲାଙ୍କ ମନ
ଗାଆଁ ଦାଣ୍ଡେ ପାଣି କରେ ଉଛନ l
କାଗଜ ଡ଼ଙ୍ଗାରେ ଆସଇ ମାଡି
ପାଣିରେ ଛାଡ଼ିଛି ଧାଡି କି ଧାଡି l
ବିହଙ୍ଗ ନୀଡ଼ରେ ଶାବକ ରଡି
ରଖିଛି ଶାବକେ ଡେଣାକୁ ଭିଡି l
ବିହଙ୍ଗମ ନୀଡ଼ ଆଜି ଶ୍ରୀହୀନ
ଝଡ ବରଷାରେ ହାରେ ଜୀବନ l
ଦୀନ ହୀନ ଜନ ବାସ ବିହୀନ
ଭିଜା ବସନରେ କାଟଇ ଦିନ l
ପଥିକ ଜଳରେ ପାଏନି ବାଟ
ଭୋଗିଥାଏ ସିଏ ଅନେକ ହଟ l
ପଥିକ ବାଟୁଆ ପଥରେ ପଡି
କେବେ ଯାଇଅଛି ଜୀବତ ଛାଡି l
ସୁଖ ଦୁଃଖ ଦିଏ ବରଷା ରାଣୀ
ବିରହେ ଭରିଛି ଆଖିରେ ପାଣି l
ବରଷା କାଳତ ମଙ୍ଗଳକାରୀ
ପାଳଇ ଆମକୁ ବରଷି ବାରି l
ସ୍ମୃତି ଅନୁଭୂତି କରି ବାଖ୍ୟାଣ
ଷ୍ଟୋରୀ ମିରରରେ କଲି ଅର୍ପଣ
