ରଥଯାତ୍ରା
ରଥଯାତ୍ରା
ଭୋଗ କରି ଛପନ ପଉଟି,
କୋଠ ଭୋଗ ସାରା ବରଷର ।
ଭିଜି କରି ପ୍ରଥମ ବର୍ଷାରେ
ଅଷାଢ଼ର, କାଳିଆ ଠାକୁର ।
ଅମାନିଆ ଶିଶୁର ସଦୃଶ,
ଦେହ ତାଙ୍କ ହୁଅଇ ଖରାପ ।
ଅଣସର ଘର ମଧ୍ୟେ ଶୋଇ,
ନିଅନ୍ତି ସେ ଔଷଧର ଲେପ ।
ହୋଇଣ ସେ ସମ୍ପୂର୍ଣ୍ଣ ଆରୋଗ୍ୟ,
ଚିକିତ୍ସାରେ ରହି ପକ୍ଷେ କାଳ ।
ବାହାରନ୍ତି ବୁଲି ବାହାରକୁ,
ସଂଗେ ନେଇ ନିଜ ଦଳ ବଳ ।
ବସି ବସି ରତ୍ନ ସିଂହାସନେ,
ବର୍ଷ ଯାକ ଗମ୍ଭୀରା ଭିତରେ ।
ଆଉ ମନ ଲାଗେ ନାହିଁ ଭଲ,
କେତେ ପ୍ରଶ୍ନ ନିତି ଉଂକି ମାରେ ।
କର୍ମଚାରୀ କରୁଛନ୍ତି କାମ ?
ପ୍ରଜା ସବୁ ଅଛନ୍ତି ତ ଭଲେ ?
ସବଳ ବା ଦୁର୍ବଳ ଉପରେ,
ଦାଉ ସାଧୁ ନାହିଁ ତ ସତରେ ?
ସେବକ କି ମୋହର ସତରେ,
ପରଷନ୍ତି ପ୍ରକୃତ ସମ୍ବାଦ ?
ରାଜ୍ୟ ଆଉ ପ୍ରଜାକୁଳକୁ ତ,
ପଡିନାହିଁ କୌଣସି ବିପଦ ?
ନା, ଆଉ ସହି ହେବ ନାହିଁ
ଏତେ ମୁଣ୍ଡ ବ୍ୟଥା ବେଶି ଦିନ ।
କ୍ଷେତ୍ର-ପରିଦର୍ଶନ ନିମନ୍ତେ,
ଯିବି ମୁହିଁ ନିଜେ ବାହାରିଣ ।
ଆଜି କାଲି ରାଜ-କର୍ମଚାରୀ,
ନୁହନ୍ତି ତ ବିଶ୍ବାସ ଭାଜନ ।
ପ୍ରଜା ମନୋରଂଜନ ତେଜିଣ,
ଦିଅନ୍ତି ସେ ପ୍ରଜାଙ୍କୁ କଷଣ ।
ତାଙ୍କ କଥା ବିଶ୍ବାସ କରିଣ,
ଥିବି ଯଦି ଗମ୍ଭୀରାରେ ବସି ।
କେଉଁ ଦିନ ବିକ୍ଷୁବ୍ଧ ଜନତା,
ବଡ ଦେଉଳରେ ଯିବେ ପଶି ।
ଭକ୍ତ ପାଇଁ ମୋହର ଦେଉଳ,
ଭକ୍ତ ପାଇଁ ରତ୍ନ ସିଂହାସନ ।
ଭକ୍ତ ପାଇଁ ଷାଠିଏ ପଉଟି,
ଭକ୍ତ ପାଇଁ ମୋର ଯେତେ ମାନ ।
ସେମାନଙ୍କ କଥା ଟିକେ ମୁହିଁ,
ଆସେ ବୁଝି ଥରେ ନିଜେ ଯାଇ ।
ବସି ରହି ଚଷିଲେ କାଗଜ,
ସତ କଥା ଜଣା କି ପଡଇ ।
ପତିତ ଓ ଅପର ଧର୍ମକୁ
କରିଛନ୍ତି ଯେ ଅବଲମ୍ବନ ।
ସେମାନେ କି କୁଶଳେ ଅଛନ୍ତି ?
ଜାଣିବାକୁ ବ୍ୟଗ୍ର ମୋର ମନ ।
ବର୍ଷ ସାରା ମନ୍ଦିର ମଧ୍ୟକୁ,
ନ ପାରନ୍ତି ପଶି ଯେହୁ ଜନ ।
ମିଶିବାକୁ ସେମାନଙ୍କ ସଂଗେ,
ଭରି କରି ପ୍ରାଣ ଆଉ ମନ ।
ନ ହେଲେ ତ ସେହି ସର୍ବହରା,
ରଚିପାରେ ଗୁପତ ବିଦ୍ରୋହ ।
ଡାକ ପାଇ ବିରୋଧୀ ଦଳରୁ,
ମିଶି ଯାଇ ସେମାନଙ୍କ ସହ ।
ନିର୍ବାଚନ ପୂର୍ବରୁ ଯେମିତି
ନେତା ଯାଇ ପ୍ରଜା କୁଡିଆରେ ।
ପଖାଳ ଓ ଶାଗଭଜା ଖାଏ,
ନିର୍ବାଚନ ଜିତିବା ଆଶାରେ ।
ମୁହିଁ ଅବା ଭକ୍ତଙ୍କୁ ମୋହର
କରାୟତ୍ତ ଅନୁରୂପେ କରି
ରଖିଲେ ବା ଏଥିରେ ମୋହର,
ଦୋଷ କିଛି ହେବ ନାହିଁ ବାରି ।
ଏହି ପରି ମନେ ମନେ ଗୁଣି,
ବାହାରିଲେ ଜଗତ ଠାକୁର ।
ବଡ ଭାଇ, ଭଉଣୀଙ୍କୁ ଘେନି
, ସୁସଜ୍ଜିତ ତିନି ରଥ ପର ।
ନନ୍ଦିଘୋଷେ ଯାତ୍ରା କରିବାରୁ,
ଘୋଷଯାତ୍ରା ମଧ୍ୟ ଏହା ନାମ ।
ଘୋଷ କରି ଗୁରୁ ଗୁରୁ ନାଦେ,
ଦେବା ପାଇଁ ଧର୍ମ, ଅର୍ଥ, କାମ ।
ମୋକ୍ଷ ପୁଣି ୮୪ ନର୍କରୁ,
ଦେବା ଅଟେ ଉଦ୍ଦେଶ୍ୟ ଯାହାର ।
ବରଷକେ ଥରେ ମାତ୍ର ଆସେ,
ଏହିଭଳି ବିଶାଳ ଅଫର ।
ନେବା ପାଇଁ ସୁଯୋଗ ଏହାର,
ଟାଣିବାକୁ ରଥ ଦୌଡି ବାରେ
ଉଦ୍-ବେଳିତ ଭକତର ମନ,
କାଳିଆକୁ ଦେଖିବ ରଥରେ ।
ଉଚ୍ଚତମ ନ୍ୟାୟାଳୟ ଯେବେ
ରଥଯାତ୍ରା ହେବ ନାହିଁ ବୋଲି
କହିଦେଲେ ଦୁଇ ବର୍ଷ ତଳେ;
ଭକ୍ତ ମଧ୍ୟେ ପଡିଗଲା ହୁରି ।
କରୋନାର ତାମସୀ ଶକତି,
ରୋଧିବ କି ନନ୍ଦିଘୋଷ ପଥ ?
ପରମ୍ପରା ସହସ୍ର ବର୍ଷର,
ଭଗ୍ନ ହେବ ଭକ୍ତ ମନୋରଥ ?
ରାହୁ କେବେ ସୂର୍ଯ୍ୟକୁ କି ଭାଇ
, ବେଶି କାଳ ପାରିଛି ଘୋଡାଇ ?
ଅସତ୍ୟ କି ସତ୍ୟର ପ୍ରକାଶ,
ଚିରଦିନ ପାରିଛି ଦବାଇ ?
ଅଗଣିତ ବିଶ୍ବବାସୀଙ୍କର
ମନ ବୁଝି ଜଗତ ଠାକୁର ।
ଲୀଳାମୟ ରଚିଲେ ଉପାୟ,
ବଦଳିଲା ପୂର୍ବର ବିଚାର ।
କିଛି କିଛି କଟକଣା ମାନି,
ଘୋଷଯାତ୍ରା ହେଲା ଆନନ୍ଦରେ ।
ଆମ୍ଭେମାନେ ଦେଖିଲେ ପ୍ରଭୁଙ୍କୁ,
ଦୂରୁଁ ଥାଇ ଦୂରଦର୍ଶନରେ ।
ଏହି ବର୍ଷ ଆଜ୍ଞା ଦେଲେ ପ୍ରଭୁ,
“କରୋନା ତୁ ନ କର କଟାଳ ।
ତୋର ପୂର୍ଣ୍ଣ ପ୍ରାଦୁର୍ଭାବ ପାଇଁ
ଦେଲି ମୁହିଁ ଦୁଇ ବର୍ଷ କାଳ ।
ଏହି ବର୍ଷ ଭକତେ ମୋହର,
ବ୍ୟାକୁଳ ମୋ ଘୋଷଯାତ୍ରା ପାଇଁ ।
ସେମାନଙ୍କ ଆନନ୍ଦ ନିମନ୍ତେ
କଟକଣା ଦେଉଛି ଉଠାଇ ।
ତେଣୁ ଯିବା ଆସ ବନ୍ଧୁ ପୁରୀ,
ଟାଣିବାକୁ ରଥ ଦୌଡି କରେ
ରଥ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଚର୍ମନେତ୍ରେ ବାରେ ।