ରସପୂର୍ଣ୍ଣ ସାହିତ୍ୟ
ରସପୂର୍ଣ୍ଣ ସାହିତ୍ୟ
ସୁମଧୁର ସଙ୍ଗୀତର ସୃଜନ କରନ୍ତି ସପ୍ତସୁର,
ଗୀତ ଗେୟର ସୃଷ୍ଟି କରନ୍ତି ଅଳଙ୍କୃତ ଅକ୍ଷର,
ଲାବଣ୍ୟ ଲାସ୍ୟ ରୂପାନ୍ତରିତ କରନ୍ତି ନୂପୁର,
ବାଦ୍ୟଯନ୍ତ୍ର ସାଜନ୍ତି ଶ୍ରାବ୍ୟ ନାଦର ସମାହାର ।
ରମ୍ୟ ଗଦ୍ୟ ଉପନ୍ୟାସ ଲେଖନ୍ତି ଲିପିକାର,
ଗଳ୍ପ କଥା-ସରିତାର ପ୍ରବାହ କରନ୍ତି କଥାକାର,
ସରସ ସୁରସ କାବ୍ୟ ଭାବନ୍ତି ଇଚ୍ଛିତ କାବ୍ୟକାର,
ସାହିତ୍ୟର ସାରାଂଶ ସାରଭାଗ ହୁଅନ୍ତି ଗ୍ରନ୍ଥକାର ।
ତରୁଣ ଅରୁଣ ସର୍ବତ୍ର ବ୍ୟାପ୍ତ କରନ୍ତି ସ୍ବର୍ଣ୍ଣକିରଣ,
ଚାରୁ ପୂର୍ଣ୍ଣଚନ୍ଦ୍ର ପ୍ରସାରଣ କରନ୍ତି ରୌପ୍ୟକିରଣ,
ସହନଶୀଳ ପୃଥିବୀରେ କାୟା କରନ୍ତି ପ୍ରାଣଧାରଣ,
ଅନ୍ତଃକରଣରୁ ବିବେକୀ ବାଣ୍ଟନ୍ତି ବିଶୁଦ୍ଧ ଜ୍ଞାନକିରଣ ।
କାମ୍ୟ କାବ୍ୟଶାସ୍ତ୍ରରୁ ହୁଏ ଭାଷାର ଭରଣ-ପୋଷଣ,
ଗ୍ରନ୍ଥାବଳି ହୁଏ ସମକାଳୀନ ବିଦ୍ଵତ୍ତାର ନ୍ୟାଯ୍ୟ ଦର୍ପଣ,
ମହାକାବ୍ୟ କରନ୍ତି ସଭ୍ୟ ସଂସ୍କୃତିର ରକ୍ଷଣ ସଂରକ୍ଷଣ,
ରସପୂର୍ଣ୍ଣ ସାହିତ୍ୟ ସଂଘ ସମାଜ ହେତୁ ସତତ ଆଶାକିରଣ |
