STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରୋଦନ କରୁଛି

ରୋଦନ କରୁଛି

1 min
429


ଉତ୍କଳ ଭାରତୀ ରୋଦନ କରୁଛି

         ଦୁଃଖରେ ବିଚ୍ଛନ୍ନାଚଳେ,

ଦୁଃଖର ସେ ଧ୍ବନି କର୍ଣ୍ଣରେ ପଡ଼ିଲେ

         ନୟନେ ଲୋତକ ଢଳେ।


ଶିକ୍ଷା ସରସ୍ୱତୀ ଓଡ଼ିଆ ଭାଷାର

         ନାହିଁ ଝାଡ଼ଖଣ୍ଡ ରାଜ୍ୟେ,

ଉତ୍କଳ କଲାଟି ଛେଉଣ୍ଡ ଆମକୁ

         ଏବେ ଝାଡ଼ଖଣ୍ଡ ରାଜ୍ୟେ।


ଥିଲା ସିଂହଭୂମି ଉତ୍କଳ ଗୌରବ

          କିମ୍ପାଟି ଛେଉଣ୍ଡ ହେଲା?

ନାହିଁ ତା ଉତ୍ତର କାହାରି ପାଖରେ

         ଶୁନ୍ୟ ମାତୃଭାଷା ହେଲା।


ନିଜ ଘରେ ବସି ଶିକ୍ଷା ଶୁନ୍ୟ ଆମେ

         ଆମରଟି ଭାଗ୍ୟହୀନ,

ନିରବତା ତହିଁ ଉତ୍କଳ ବନ୍ଧୁଙ୍କ

         କଷ୍ଟ ହେଉ ଅଛି ମନ।


ପୁଅ ଉତ୍କଳର ନୁହନ୍ତି କେବଳ

         ଆମେ ଭି ଉତ୍କଳ ପୁଅ,

ଯାହା ଭି ସୁବିଧା ଉତ୍କଳ ସନ୍ତାନେ

         ବିଚ୍ଛନ୍ନାଚଳେ ଭି ଦିଅ।


ଭୂମି ଉତ୍କଳର ଦେଲଟି ବିହାରେ

        ଝାଡ଼ଖଣ୍ଡ ଏବେ ହେଲା,

ଓଡ଼ିଆଙ୍କ ଏଠି ନାହିଁ ଦୋଷ କିଛି

         ଶିକ୍ଷା ଓଡ଼ିଆର ଗଲା।


ପର୍ବ ଓ ପର୍ବାଣି ଓଡ଼ିଆଙ୍କ ଏଠି

         ସବୁତ ଉତ୍କଳ ପରି,

ଶିକ୍ଷା ପାଇଁ ଧ୍ୟାନ ଉତ୍କଳର ନାହିଁ

         ଲାଗୁଛି ଛେଉଣ୍ଡ ପରି।


ଗୋପବନ୍ଧୁ ଦାସ କହୁ ଥିଲେ ସଦା

         ସିଂହଭୂମି ପରା ମଣି,

ମଣିକୁ ଦେଲହେ ଅନ୍ୟ ରାଜ୍ୟ ହସ୍ତେ

         ହୀନିମାନ ହେଲା ପୁଣି।


ମାତୃଭାଷା ଶିକ୍ଷା ନାହିଁ ଯେବେ ଯହିଁ

         ରୋଦନ କରେ ସନ୍ତାନ,

କୋଡ଼ିଏ ଲକ୍ଷ୍ୟରୁ ବେଶି ହି ଓଡ଼ିଆ

         ନାହିହିଁ ମାନ ସମ୍ମାନ।


ତୃଷ୍ଣାରେ ଆତୁର ଉତ୍କଳକୁ ଦେଖେ

         ଯେସନେ ଡାକେ ଚାତକ,

ଦୟା ଛେଉଣ୍ଡରେ ହେବକି ଉତ୍କଳେ

         ଶୁଣିବ କି ଆମ ଡାକ।


ଓଡ଼ିଆ ନାଟକ ହୁଏ ସିଂହଭୂମେ

         ପାଲା ବାଦିପାଲା ହୁଏ,

ଉତ୍କଳ ଗୌରବ ଗୋପବନ୍ଧୁଙ୍କର

         ଜୟନ୍ତୀ ପାଳନ ହୁଏ।


ମଧୁସୂଦନଙ୍କ ଜୟନ୍ତୀ ଏଠାରେ

         ଭକ୍ତି ପ୍ରେମ ଶ୍ରଦ୍ଧା ଯହିଁ

ଧ୍ୟାନ ହିଁ ନାହିଁ ଟି ଉତ୍କଳ ରାଜ୍ୟର

         ଏଠି ମାତୃଭାଷା ନାହିଁ।


ଉତ୍କଳ ଦିବସ ପାଳିତ ଏଠାରେ

         ଅତି ଧୁମଧାମେ ଏଠି

ସ୍ମରଣ କରନ୍ତି ଉତ୍କଳ ଗୌରବ

         ଓଡ଼ିଆ ଏଠାର ଏଠି।


ଇଷ୍ଟଦେବ ଆମ ପ୍ରଭୁ ଜଗନ୍ନାଥ

         ଗୁଞ୍ଜୁ ଅଛି ନାମ ଯହିଁ,

ନଜର ନପଡେ ଚକାନୟନର

         କହିବାର କିଛି ନାହିଁ।


ଯୁବ ଓ ଯୁବତୀ ପ୍ରଶ୍ନ କରୁଛନ୍ତି

         କାହିଁ ପାଇଁ ପର କଲେ,

ସଂସ୍କୃତି ଓଡ଼ିଆ ଭାଷା ଭି ଓଡ଼ିଆ

         ଉତ୍କଳ କାହିଁକି ଦେଲେ?


ଉତ୍ତର ହିଁ ନାହିଁ କାହାରି ପାଖରେ

         କିଏ ସେ ଉତ୍ତର ଦେବ,

ଜାତି ପ୍ରେମ ବହ୍ନି କର ପ୍ରଜ୍ବଳିତ

         ତାହାର ଉତ୍ତର ହେବ।


ଅନ୍ୟ ରାଜ୍ୟେ ଅଛୁ ଅଧିକାର ଅଛି

         ଉତ୍କଳକୁ କହିବାକୁ,

ଶିକ୍ଷା ଅଧିକାର ଆମ ଅଧିକାର

         ମିଳୁ ଏଠି ଓଡ଼ିଆଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract