STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ରଙ୍ଗର ମହକ

ରଙ୍ଗର ମହକ

1 min
386


ଦିଅ ମୋତେ ରଂଗ ପିଚକାରୀ ,

ଅବିର ମୁଠାଏ ରଙ୍ଗ ପସରାରୁ

ନାଲି, ନେଳି ଆବା ହଳଦିଆ

ବୋଳିଦେବି କିଛି ପକ୍ଷୀର ଡେଣାରେ

ଆଉ କିଛି ଗଛର ସବୁଜ ପତ୍ରରେ

ବାକି ଯାହା ଥିବ ମୋ ହାତ ପାପୁଲି ରେ

ବୋଳିଦେବି ଫୁଲର କୋମଳ ଦେହରେ

ଝରୁଥିବ ବାସ ଆକାଶର ଅଗଣାରୁ

ମାଟିର କୋମଳ ଶେଯକୁ

ଉଡୁଥିବେ ପ୍ରଜାପତି ରଙ୍ଗ ଝାଡି

ପ୍ରୀତି-ପୁଲକର ମଧୁ ବଗିଚାରେ ।।

ବାସିଲାଣି ଭୁରୁଭୁରୁ ରଙ୍ଗର ମହକ

ଆଂଜୁଳାରେ ଆଂଜୁଳେ ମମତା

ଢାଳିଦେବ ଶୁଷ୍କ ହୃଦୟରେ ,

ପଲ୍ଲବିତ ହେବ ଥୁଣ୍ଟା ବରଗଛ

ବହିଯିବ ନଈ କଳକଳ ହୋଇ

ଏ କୂଳ ସେ କୂଳ ଛୁଇଁ

ବାଲୁକାର ବନ୍ଧୁର ପଥରେ ;

ଦୂର ପଳାଶ ବଣରେ ଜହ୍ନ ହସୁଥିବ

କିଚିରି ମିଚିରି ଆମ୍ର କାନନର ପତ୍ର ଗହଳରେ

କୁହୁକୁହୁ ଗାଉଥିବ ପିକ ପଂଚମ ତାନରେ ।।

ଲଣ୍ଡ୍ରା ପାହାଡର ଫୁଙ୍ଗୁଳା ଛାତିରୁ

ଝରିଯିବ ପ୍ରୀତି ର ପୀୟୂଷ

ତଲ୍ଲୀନ ମୁହୂର୍ତ୍ତମାନ ରଙ୍ଗାୟିତ ହେବେ

ଅସ୍ମିତାର ଯେତେ ଅପହଂଚ ଦିଗ

ଦୀପ୍ତିମନ୍ତ ହେବ ଭ୍ରାତୃତ୍ବର ଔଜ୍ବଲ୍ୟରେ ;

ରଙ୍ଗର ଓଜ୍ବସୀ ବିଭବ

ଚୁରମାର କରିଦେବେ ପାଷାଣକୁ

ଯେତେ ଅନ୍ତର୍ଦାହ,ଯେତେ ଅନ୍ୟମନସ୍କତା

ଅପସରି ଯିବେ ଦୃଶ୍ୟ ରୁ ଅଦୃଶ୍ୟକୁ ।।

ଚଉଦିଗ ରଙ୍ଗର ମେଳନ

ହାଟ, ଘାଟ, ବଣ, ବିଲ, ଚଲା ବାଟ

ସାତରଂଗର ଇନ୍ଦ୍ରଧନୁ ଝଲମଲ

ସବୁଜ ସମ୍ମୋହନର ଗୋଲାପୀ ପାର୍ବଣ

ଔଦାର୍ଯ୍ୟର ଅନ୍ତଃସ୍ବର

ଛୁଇଁଲାଣି ଭୂମିରୁ ଭୂମାକୁ

ରଙ୍ଗର ବର୍ଷାରେ ସିକ୍ତ ଧରାପୃଷ୍ଠ

ଅଜାଡି ଦେଲାଣି ସୁକୋମଳ ସ୍ପର୍ଶ

ଧାଡି ଧାଡି ମଖମଲି ସ୍ବପ୍ନ

ମଧୁ ବସନ୍ତ ର ମଧୁର ଲଗ୍ନରେ ;

ପୁଲକିତ ମନ ପ୍ରାଣ ,ଉଜ୍ଜୀବିତ ଆତ୍ମା

ରଙ୍ଗର ରଙ୍ଗିନ୍ ମହୋତ୍ସବରେ ।।

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy