ରଙ୍ଗିଲା ଫଗୁଣ
ରଙ୍ଗିଲା ଫଗୁଣ
ଝୁମି ଝୁମି ଆସେ ତୋଟା
ଭିତରେ ରଙ୍ଗତ
ଋତୁରାଜ ବସନ୍ତଙ୍କର,
ପଲ୍ଲୀ କୁଞ୍ଜେ ପିକ ଛାଡ଼େ
କୁହୁ ତାନ ସମତାଳେ ଛନ୍ଦି
ସୁର ମଳୟର ll
ଗ୍ରାମ୍ୟ କିଶୋରୀ ନବ
ଯୌବନାସକ୍ତ ହାସ୍ୟ ବଦନେ
ସ୍ନାନରତା ସରସୀରେ,
ବକ୍ଷଜଲଗ୍ନା ସନ୍ତରଣେ
ପ୍ରଶମିତ କରଣେ
ସ୍ଵତନୁ ଶୃଙ୍ଗାରକାମୀ
ଉଷ୍ମତା ଉନ୍ମାଦରେ ll
ନାତିଶୀତୋଷ୍ଣ ପରିସରେ
କୁଣ୍ଠିତ ସେମାନେ ପୁଷ୍କରିଣୀ
ଜଳୁ ପ୍ରସ୍ଥାନ କରଣେ ସ୍ୱତନୁ,
ସ୍ୱଚ୍ଛ ଜଳେ ଦେଖି ପ୍ରତିବିମ୍ବ
କମଳ ସାଥୀର ହସ୍ତ ସ୍ପର୍ଶ
ଦାନାର୍ଥେ ବ୍ୟାକୁଳ ଅତୃପ୍ତ
ଅତନୁ ll
ଇର୍ଷାରତ କୃଷ୍ଣ ଅଳି ସ୍ୱପ୍ରେମିକା
ପଙ୍କଜା ହରଣେ ଦଂଶୀ ଅନୂଢ଼ା
କିଶୋରୀବୃନ୍ଦେ ଵିଵସନା
କରିଚାଲେ ମୁଗ୍ଧ ନିଜ ଚିତ୍ତ
ପ୍ରତିଦ୍ବନ୍ଦୀ ଯନ୍ତ୍ରଣା ଦର୍ଶନେ ll
ଯାଇଛି ମଉଳି ମାନବଜାତିର
ଅନ୍ତସାର କିନ୍ତୁ ଯାଇନି ଝାଉଁଳି
ଅଦ୍ୟାବଧି ଅଳିକଳି ଶୃଙ୍ଗାରୀ
ସମ୍ଭାଷଣ ଆଉ ସରସୀ ନିବାସୀ
ନୀରଜାର ଦୋଦୁଲ୍ୟମାନ
କଳେବର ଫାଲ୍ଗୁନୀ ମୃଦୁ ମନ୍ଦ
ମଳୟ ବନ୍ଧନେ ll
ରଙ୍ଗିଲା ଫଗୁଣ ଦିଏ
ରଙ୍ଗେଇ ନାଲି ନେଳୀ
ଫଗୁକଣା ପୁଞ୍ଜେ
ମାନବୀୟ ପ୍ରାଣ
ମଧୁମାସର ନିର୍ଦ୍ଦେଶେ
ନକରି ଭ୍ରୁକ୍ଷେପ ଶାଳୀନତା
ରକ୍ଷଣେ ମତୁଆଲା ଉଦ୍ଦାମ
ବାହୁସ୍ଫୋଟେ ll
ରସାଇ ଦେଇଛି ଆଜି
ବିଶ୍ୱପିତାମାତାଙ୍କୁ ଷୋଡ଼ଶ
ଉପଚାରେ ଜନପଦେ
ପଲ୍ଲୀପୂରେ ମଳୟ ମିଶା
ଅଗୁରୁ ଚନ୍ଦନ ଅବିର ସୁଗନ୍ଧ
ନିର୍ବିକାର ଚିତ୍ତେ ଦେଇଛି
ପ୍ରେରଣା କରିବାକୁ
ସୃଷ୍ଟି ମଧୁସୁର ଧରାଇ
ହାତେ ମୋହନବଂଶୀ
ରଟାଇ ରାଧାନାମ
ବିଭୁମାନସପଟେ ll
ସୁନ୍ଦର ସୃଷ୍ଟି ଆହା
କେତେ ଶାନ୍ତି ଉଦ୍ଦୀପକ
ଋତୁରାଜ ବସନ୍ତଙ୍କ
ଆଗମନେ କଳାୟିତ
ଶୃଙ୍ଗାର ରସର ଉଦ୍ରେକ
ପୁଣି ରୁପାୟିତ ଆତ୍ମଜ
ଫଗୁଣୀର ଆଳସୀ ମଳୟ
ବଳୟେ ସୁଦୃଢ଼ ପ୍ରୀତି ବନ୍ଧେ
ଅନନ୍ତ କାଳ ଇପ୍ସିତେ ll
ମନରସିଆ ଚିରଯୌବନ
ଭରା ଅତିଥି ଫଗୁଣ ସାଥେ
ନେଇ ପିକ ଚିତ୍ତଟଣା ଗାନ
ବାଉଁଶ ପତ୍ରିଆ ବେହେଲା
ତାନେ ନିର୍ମଳ ଶଶୀର
ଆକାଶ ଚାନ୍ଦୁଆ ତଳେ
ଜୁଳୁଜୁଳିଆ ସଖି
ନକ୍ଷତ୍ରଗଣଙ୍କ ମେଳେ
ଢାଳିଦିଏ ମର୍ତ୍ତ୍ୟେ
ସର୍ବସ୍ବ ତାହାର ଜନ
କଲ୍ୟାଣେ ତ୍ୱରିତେ ll
ହସୁଥାଅ ରସୁଥାଅ ଭାଷୁଥାଅ
ରମୁଥାଅ ଆସୁଥାଅ ରହିଥାଅ
ହୋଇ ଚିରଞ୍ଜିଵୀ ଓ ଚିରଯୁବା
ହେ ଋତୁଶ୍ରେଷ୍ଠ ବାସନ୍ତୀ ଫଗୁଣ
କରି ଚାଲୁଥାଅ ମାନବ ସମାଜେ
ବରଷକୁ ବରଷ କରି ଏଠି
ପଦାର୍ପଣ ll
ହସି ଉଠୁ ପୁରପଲ୍ଲୀ ବିଶ୍ୱନିଳୟ
ତୁମ ହାତ ଛୁଆଁରେ ଅହରହ ଦାନେ
ଭରି ପ୍ରୀତିର ସନ୍ଦେଶ ଆହେ ଫଗୁଣ
ସୃଷ୍ଟି କରିଚାଲ ସଦା ସୁଶୀଳ
ପ୍ରତିବିମ୍ବ ତୁମ ସ୍ଫଟିକ ଦର୍ପଣେ
ଚିରନ୍ତନ l