ରଙ୍ଗ ପିଚକାରୀ ଅବିର ଠାଣି
ରଙ୍ଗ ପିଚକାରୀ ଅବିର ଠାଣି
ହୋଲି ଆସିଛି ଆଜି ଜନପଦେ ଆଉ ସହରେ
ମନକୁ ଦୋହଲେଇ ଦଉଛି ରଙ୍ଗେ ଓ ଅବିରେ ll
ଗୃହ ଲଳନା, କିଶୋରୀ ହାତେ ଧରି ପିଚକାରୀ
ଚିହ୍ନା ମୁହଁକୁ କରି ଅଚିହ୍ନା ବାଗେଇ ଜୁଡ଼ାକବରୀ ll
ସାଇ ପଡ଼ିଶାଙ୍କ ସଙ୍ଗେ ବାଣ୍ଟିଣ ଅନାବିଳ ସରାଗ
ଖେଳନ୍ତି ଆନନ୍ଦ ଉନ୍ମତ୍ତେ ଚିତ୍ତେ ନରଖି ବିରାଗ ll
ନାଲି ନେଳି ଗୋଲାପୀ ବାଇଗିଣି ଫଗୁର ରଙ୍ଗେ
ଫଗୁଣର ସୁଲୁସୁଲିଆ ବାଆରେ ନାଚି ଭୃଭଙ୍ଗେ ll
ଥଟ୍ଟା ମଜା ସବୁକିଛି ତାଙ୍କ ହୋଇଯାଏ ଦିହ ଘଷା
ଅଜା ଆଈଙ୍କ ପାନଖିଆ ନାଲି ଓଠେ ଶୁଭ ଆଶା ll
ଆସ ଆସ ଆମ ନାତି ନାତୁଣୀ ଖାଅ ହୋଲି ମିଠା
ଭସାଇଦିଅ ଫଗୁଖେଳେ ଆମକୁ ମୁହଁ ନକରି ଖଟା ll
ଡାକ ତୁମ ନିଜ ନିଜ ଧଵଗଣଙ୍କୁ ଆମର ସମ୍ମୁଖକୁ
ଡାକ ତୁମ ଭାଇଭଉଣୀଗଣଙ୍କୁ ମନଭରି ହୋରି ଖେଳିବାକୁ ll
ସ୍ନେହୀଳ ଅଜା ଆଈଙ୍କ ଥଟ୍ଟାବୋଳା ବାଣୀର ପସରା
ଉଲ୍ଲସିତ କରେ ମନପ୍ରାଣ ନାତିନାତୁଣୀଙ୍କ ଦୁଃଖହରା ll
ଗ୍ରାମ୍ୟ ଯୁବକେ ମିଛ କୋକେଇରେ ମିଛ ମୁର୍ଦ୍ଦାର ଲଦି
ଢୋଲ ମାର୍ଦ୍ଦଳ ତାନେ ହେଇ ମସଗୁଲ ନାଚନ୍ତି କୁଦି ll
ଗାଁରାସ୍ତା ଗଳି କନ୍ଦି ସବୁଆଡ଼େ ଖାଲି ମସ୍ତିର ମେଖଳା
ନଥାଏ ସେଠି ନିଜପର ଭାବନାର ଟିକେବି ବିଶୃଙ୍ଖଳା ll
ରସିକିଆ ଖେଳାଳୀ ସୋମରସ ଟିକେ କରିଣ ପାନ
ଝୁଲି ଝୁଲି ଯାଆନ୍ତି ଆଗେଇ ଘରପଶାଙ୍କୁ ଖୋଜିଣ ll
ଦାଣ୍ଡ କବାଟ ଠେଲିଣ ପସନ୍ତି ଧସେଇ ଏରୁଣ୍ଡି ଡେଇଁ
କିଳିଣି ନକରେ କାମ ଲଗାମଛଡ଼ା ଖେଳାଳୀ ବାଇ ll
ବାରଣ ଫାରଣ ନଥାଏ କିଛି ସେଦିନ ପରା ହୋଲି
ନବପୁଲକ ଆସେ ପ୍ରାଣେ ଦେଲେ ରାଧାକୃଷ୍ଣଙ୍କୁ ସୁମରି ll
ରସିକ ଶିରୋମଣି ସେଯେ ଆମ ପ୍ରଣୟୀ ଯୁଗ୍ମ ଠାକୁର
ବୃନ୍ଦାବନେ ଖେଳୁଥିଲେ ହୋରି କଂସକୁ ନକରି ଖାତିର ll
ସତରେ ଫଗୁଣ ତୁମେ କପାଳିଆ କାଳିଆ ଠାକୁର ସାହା
ମାନବ ସମାଜୁ ଦୂର କରିଥାଅ ସଦା ଦୁଃଖର କୁରାହା ll
ଧନ୍ୟ ତୁମ ଲୀଳା ଆହେ ଚକାଡୋଳା ବସୁମାତା ପୃଷ୍ଠେ
ବରଷକେ ଥରେ ବିଷାଦ ମନକୁ କରିଣ ଚିରନ୍ତନ ହୃଷ୍ଟ ll
ରଙ୍ଗ ନୁହେଁ ସେତ ମଣିଷ ଆତ୍ମାର ପରିପ୍ରକାଶ ମାତର
ଜାଗତିକ ମାନବୀୟ ଗୁଣାବଳୀର ପରୋକ୍ଷ ରୂପାନ୍ତର ll
ଭୁଲନା ଆମକୁ ଆହେ "ହୋଲି ପରବ " କରୁଛୁ ଅଳି
ପ୍ରତି ବରଷ ପକାଅ ଟିକେ ପାଦ ଅତ୍ର ଯଥା ପୁଷ୍ପେ ଅଳି ll
