ରଜନୀଗନ୍ଧା
ରଜନୀଗନ୍ଧା
ଶୁଭ୍ର ବଦନା କମନୀୟା ପାଖୁଡା
ଶୁଭ୍ରକାନ୍ତି ଶୋଭାରେ ଅପରୂପା
ସୃଷ୍ଟିରେ ତୁ ଅଦ୍ବିତୀୟା
ନିଶୀଥର ଘନ ଅନ୍ଧାରରେ
ଦୃଷ୍ଟି ଅଗୋଚରେ ଥିଲେ ବି ଫୁଟି
ମହକରେ ମହକାଇ ନେଉ ଆକର୍ଷି
ଟିକି ତନୁରେ ତୁ ଅତୁଳନୀୟା
ନିଜେ ନିଜ ପରିଚୟେ
ହେଉ ତୁ ସବୁରି ପ୍ରାଣପ୍ରିୟା
ଦ୍ବିତୀୟା ଚାନ୍ଦ ପରି
ହସ ହସ ତୋ ଚାରୁ ବେଶ
ଦେଖି ଭାବୁକ ଭାବନାରେ ତାର
ଦେଖାଏ ଶତ ପ୍ରତିକ୍ରିୟା
ତୁ ମହକରାଣୀ ଲୋ ରଜନୀଗନ୍ଧା
ପ୍ରୀତିର ହୃଦ ପସରାରେ
ହୋଇ ରହିଥାଉ ଚିର ବନ୍ଧା
ପ୍ରିୟାର ଗଭାରେ
ହେଲେ ଛନ୍ଦା
ପ୍ରିୟର ମନରୁ ଅନୁରାଗ
ଝରି ଆସେ ନ ମାନି ବାଧା
ରୂପା ଜହ୍ନ ଲାଜେ ଯାଏ ସରମି
ମଳିନ ପକାଏ ତୋ ସିଗ୍ଧା
ମହକେ ମତୁଆଲା ମଧୁ ମକ୍ଷିକା
ତୋ ବିରହେ ରହେ ଉଜାଗର
ସାରା ରାତି ସେ ଏକା ଏକା
ଧନ୍ୟ ତୁ ରଜନୀଗନ୍ଧା
ପ୍ରଭାତେ ଉଇଁ ଆସିଲେ ସୂରୁଜ
ତାର ସ୍ବାଗତେ ନିଜକୁ ଉତ୍ସର୍ଗ କରି
ଦେଉ ତୁ ନିଜର ବଳିଦାନ
ନେବାକୁ ତ ଶିଖି ନାହୁଁ କିଛି
ଦେଇ ଜାଣିଛୁ ସିନା
ରାତିରେ ଫୁଟି ମହକ ବିତରି
ସବୁରି ମନରେ ଦେଉ ଖୁସି ଭରି
ସତରେ ତୁ କେତେ ମହାନ
ଧନ୍ୟ ତୋର ତ୍ଯାଗପୂର୍ଣ୍ଣ ଜୀବନ।