ରଜ ମଉଜ
ରଜ ମଉଜ
ରଜକୁ ଛାଡ଼ିଛି ଜର
ସମସ୍ତେ ପାଳିବା ପର୍ବ ଏଥର
ପର୍ବ ଏଥର ଲୋ
ଆନନ୍ଦେ ହୋଇ ବିଭୋର ,
ବଉଳ ଲୋ ଆନନ୍ଦେ ହୋଇ ବିଭୋର
ନୂଆ ପୋଷାକ ପିନ୍ଧିବା ।
ଗଛ ଡାଳରେ ଦୋଳିକୁ ବାନ୍ଧିବା ,
ଦୋଳି ବାନ୍ଧିବା ଲୋ
ଗୀତ ଗାଇ ଝୁଲୁଥିବା ,
ବଉଳ ଲୋ ଗୀତ ଗାଇ ଝୁଲୁଥିବା
ଘରେ ଘରେ ପିଠାପଣା ।
କେଉଁଥିରେ କିଛି ନ ଥିବ ଊଣା ,
ନ ଥିବ ଊଣା ଲୋ
ବେଳ ନ ପଡ଼ିବ ଜଣା ,
ବଉଳ ଲୋ ବେଳ ନ ପଡ଼ିବ ଜଣା
ରଜସ୍ବଳା ହେବ ଧରା ।
କରିବା ନାହିଁ ଖଣ୍ଡିଆ ଖାବରା ,
ଖଣ୍ଡି ଖାବରା ଲୋ
ନିୟମେ ପାଳିବା ପରା ,
ବଉଳ ଲୋ ନିୟମେ ପାଳିବା ପରା
କଟାକଟି ନ କରିବା ।
ପୁଅମାନେ କାଟିଦେବେ ପରିବା ,
ଦେବେ ପରିବା ଲୋ
ମଉଜେ ଦିନ ସାରିବା ,
ବଉଳ ଲୋ ମଉଜେ ଦିନ ସାରିବା
ଆସିବେଟି ପ୍ରିୟଜନ ।
ଭାଙ୍ଗି ଦେବା ତାଙ୍କୁ ବିଡ଼ିଆ ପାନ
ବିଡ଼ିଆ ପାନ ଲୋ
ଖୁସି ହେବ ତାଙ୍କ ମନ ,
ବଉଳ ଲୋ ଖୁସି ହେବ ତାଙ୍କ ମନ
ଏ ଅଟେ ଗଣ ପରବ ।
ଏକାଠି ପାଳିବେ ଲୋକ ସରବ ,
ଲୋକ ସରବ ଲୋ
ଆମରି ଗର୍ବ ଗୌରବ ,
ବଉଳ ଲୋ ଆମରି ଗର୍ବ ଗୌରବ ।
