ରଜ ମହୋତ୍ସବ
ରଜ ମହୋତ୍ସବ
ନିଦାଘରେ ସନ୍ତାପିତ ତରୁଲତା ଜୀବେ,
ମୁକ୍ତି ପାଇଁ ଜଳ ପାଇଁ ହୁଅନ୍ତି ଅଥୟ |
ଉତ୍ତରରେ ସେମାନଙ୍କ ଆକୁତିର ଅବା
ହୋଇଥାଏ ଆଷାଢ଼ର ଅଶ୍ରୁଳ ଉଦୟ ||
ଶ୍ରୀଅଙ୍ଗରୁ ରୌଦ୍ରତାପ ନିବାରିବା ପାଇଁ,
ମହାପ୍ରଭୁ ଥା’ନ୍ତି ଯେବେ ଅଣସର ଘରେ |
ସେବା ପାଇଁ ଅବସର ଉପଯୁକ୍ତ ମଣି,
ଇନ୍ଦ୍ରଦେବ ଆକାଶରୁ ଜଳ ବୃଷ୍ଟି କରେ ||
ନିବେଶିଣ ଚିତ୍ତ ସୃଷ୍ଟି ଲାଳନ ପାଳନେ,
ରଜବତୀ ହୁଏ ଯେବେ ମାତା ବସୁମତୀ |
ତା’ର ସ୍ନାନ ସମାର୍ଜନା ବିଧାନ ନିମନ୍ତେ,
ମେଘମାଳା ଅମ୍ବରରୁ ଜଳ ଧାରା ସିଂଚି ||
ଏହିପରି ଉଭା ହୁଏ ଆଉ ଏକ ରଜ,
ଦୋଳି ବାନ୍ଧିବାକୁ ଯେବେ ଗଛ ଆଉ ନାହିଁ |
ନାହିଁ ଯେବେ ଆଉ ଆମ ବନସ୍ତରେ ଗଜ,
ନଡିଆ କତାର ରଶି ମିଳିବ ବା କାହିଁ ?
ପ୍ଲାଷ୍ଟିକର ଦଉଡିରୁ ତିଆରି ଦୋଳିରେ,
ଏକା ଅବା ବେଶି ହେଲେ ସହୋଦରେ ନେଇ |
କେହି ପିଲା ଖେଳେ ନିଜ ଘର ବାଲକୋନୀରେ.
ମନ ଖୋଲି ଝୁଲିବାକୁ ଜାଗା ଅଣ୍ଟେ ନାହିଁ ||
ନ କରନ୍ତି ଗୋଳ ଆଉ ସାହି ପିଲେ ଆସି,
ଯେଝା ଘରେ ଥା’ନ୍ତି ଯିଏ ବିଦେଶୀ ଠାଣିରେ |
ରଜ ପାନ ମଧ୍ୟ ଆଉ ହୁଏ ନାହିଁ ଭଂଗା,
ପିଠା ପଣା କଥା ଅବା କିଏ ସେ ପଚାରେ ?
ନାହିଁ ପରା ଶଇଶବ ଆଜିର ଶିଶୁର,
ନତ ଅଟେ ପୃଷ୍ଠ ଯା’ର ପୁସ୍ତକର ଭାରେ |
ପାଏ ନାହିଁ ଅବସର ମୂଷିକ ଦୌଡରୁ,
ଖେଳିବାକୁ ଦୋଳି ମଧ୍ୟ ରଜ ଉତ୍ସବରେ ||
ପରଚଣ୍ଡ ରୌଦ୍ରତାପେ ଜଳିଲା ପୃଥିବୀ,
ପ୍ରତିବର୍ଷ ବଢିଗଲା ତାପମାନ ତା’ର |
ଏ.ସି. ଲଗାଇଲୁ ଆମେ ବୁଲି ଘରେ ଘରେ
ଗଛ କାଟି ଗଢିଗଲୁ ରାସ୍ତା ଘର-ଦ୍ବାର ||
ଯାହା କିଛି ଥିଲା ଗଛ ଦେଲା ଭାଙ୍ଗି ଫଣୀ,
ଚାରିଆଡ ଦିଶିଲା ଯେ ମରୁଭୂମି ତୂଲ୍ୟ |
ନାହିଁ ଥିଲା ଉଦ୍ୟମ ବା ଦୂରଦୃଷ୍ଟିପୂର୍ଣ୍ଣ-
ପଦକ୍ଷେପ, ଗଢିବାକୁ ସବୁଜ ଜଂଗଲ ||
ନିଜ କ୍ଷୁଦ୍ର-ବୁଦ୍ଧି ନେଇ ନ ପାରିଲୁ ବୁଝି,
ଏ.ସି. କି ପାରିବ ରଖି କୋପିଲେ ପ୍ରକୃତି |
ନୂଆ ନୂଆ କୀର୍ତ୍ତିମାନ ରଚିଲା ପାରଦ
ବେଳୁଁ ବେଳ ତାତି ହେଲା ଅସମ୍ଭାଳ ଅତି ||
କି ପ୍ରଗତି ଏହା ଭାଇ ହୁଏ ନାହିଁ ବୁଝି,
ମଧୁରିମା ହୁଏ ନଷ୍ଟ ଯହିଁ ପ୍ରକୃତିର |
ରୋକିବାକୁ ଏହି କ୍ଷୟ ହୋଇଣ ସଜାଗ,
ବେଳ ଥାଉଁ ହେବା ଆମେ ବଦ୍ଧପରିକର ||
ନୋହିଲେ ତ ଉଣା ହେବ ବିଭୁଙ୍କ କରୁଣା
ଯାହା ବିନୁ ଥୟ ନୁହେଁ ମାନବ ଜୀବନ |
ଯାହାର ଅଭାବେ ଦିନେ ଘୋଟିଲା କରୋନା,
ଜୀବନ ଜୀବିକା ହେଲେ ଉଭୟ ଉଚ୍ଛନ୍ନ ||
ଭୁଲି ରଜ ମଉଛବ ସାଙ୍ଗସାଥି ମେଳ,
ସଙ୍ଗରୋଧ ବନ୍ଦୀ ହେଲୁ ନିଜ ନିଜ ଘରେ |
ବାହାରକୁ ବାହାରିବା ହୋଇଲା ନିଷେଧ,
ସାମାଜିକ ଦୂରତାର ଭାଂଗିବା ଭୟରେ ||
ସାଧାରଣ ସ୍ପର୍ଶ ଯୋଗେ ବ୍ୟାପିଲା ଏ ବ୍ୟାଧି,
ଶୁଣା ତ ନଥିଲା କେବେ ପୂର୍ବରୁ ଏହାର |
ବହୁ କଷ୍ଟେ, ପରିଶ୍ରମେ ବାହାରିଲା ଟିକା,
ମୁଖା, ସଂଗରୋଧ କିନ୍ତୁ ମୁଖ୍ୟ ପ୍ରତିକାର ||
ଦୁନିଆଁର ସବୁଠାରୁ ଶକ୍ତିଶାଳୀ ଦେଶ
ରହିଲେ ଯେ ସାଂଘାତିକ ପରାଭବ ଭଜି |
ବଢିଗଲା ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା,
କେତେ ଲୋକ ଗଲେ ଦୁନିଆରୁ ମରିହଜି ||
ସବୁଠାରୁ ଶ୍ରେଷ୍ଠ କରି ଗଢିଲେ ଆମ୍ଭକୁ
ସମ୍ଭାଳିବା ପାଇଁ ବିଭୁ ସୃଷ୍ଟିର ସମ୍ଭାର |
ନିଜ ଭୋଗ-ଲାଳସାରେ ଭୁଲିଲୁ ଦାୟିତ୍ବ
ଉଜାଡିଲୁ ପ୍ରକୃତିର ସୁଷମା ଭଣ୍ଡାର ||
ରୁଷ୍ଟ ହେଲେ ସୃଷ୍ଟିକର୍ତ୍ତା ଦେଖି ଏହି ଦ୍ରୋହ,
ବଜାଇଲେ ସତର୍କତା ଘଣ୍ଟି ଉଚ୍ଚ ନାଦେ |
ଘର୍ଘର ଶବଦ ଘୋର ସଭ୍ୟତା ରଥର
ଥମିଗଲା ଶୁଣି ସେହି ପ୍ରମାଦ ନିନାଦେ ||
ବିଜ୍ଞାନ ଏଷଣା ଆଉ ବିଭୁ ଉପାସନା
ଅଟେ ଆଜି ଆବଶ୍ୟକ ମନୁଷ୍ୟ ପକ୍ଷରେ |
ପୁରୁଷାର୍ଥ ପରମାର୍ଥ ହୋଇଲେ ଏକତ୍ର,
ଟଳିବ କଷଣ ସବୁ ସମୟ ସାଥିରେ ||
ଆସୁଛନ୍ତି ଆପଦାଏ ଦେବାକୁ ଚେତାଇ
ବିଶ୍ଲେଷିବା ପାଇଁ ଆମ ଔଚିତ୍ୟ କର୍ମର |
ସୁଧାରିବା ଆସ ନିଜ ନିଜ ଚଲାପଥ
ଭବିଷ୍ୟତ ହେଉ ଏକ ସ୍ବର୍ଣ୍ଣାଭ ସ୍ବପ୍ନର ||