ରିମୋଟ କଣ୍ଟ୍ରୋଲ ସିଏ
ରିମୋଟ କଣ୍ଟ୍ରୋଲ ସିଏ
ପ୍ରତ୍ୟେକ ଟିଭିର ରିମୋଟ ରହିଛି
ତାକୁ ଚଳେଇବା ପାଇଁ,
ରିମୋଟ ବିନା କି ଟିଭିଟିର କିଛି
ଅସ୍ତିତ୍ବ ଅଛିକି ଭାଇ।
ତେଣୁ ମୁଁ ପୁରୁଣା ଟିଭି ଯଦି ହୁଏ
ସ୍ତ୍ରୀ ରିମୋଟ୍ କଣ୍ଟ୍ରୋଲ,
ଯେଉଁ ବଟନଟି ଟିପୁଛି ସେ ବସି
ଧରୁଛି ସେହି ଚ୍ୟାନେଲ।
ସିଏ ପରା ମୋର ହୋମ ମିନିଷ୍ଟର
ମୁଁ ତାର ବିଶ୍ଵସ୍ତ ପିଏ ,
ତା' ହୁକୁମୁ ଆଉ ନିର୍ଦ୍ଦେଶ ମାନିବା
ମୋପରମ ଧର୍ମଟିଏ।
ଜୀବନରେ କେବେଆଉ କେଉଁନାରୀ
ଦେଖିବା ମୋ ଭାଗ୍ୟେ ନାହିଁ ,
ବାହାରକୁ ଗଲେ ଲୁଚିଛପି ଯାହା
କାହା ସାଙ୍ଗେ ଗପେ ମୁହିଁ ।
ସମସ୍ତେ ଶୋଇଲା ପରେ ମୁଁ ଶୋଉଛି
ଉଠୁଛି ସଭିଙ୍କ ଆଗୁଁ,
ଜୀବନ ମୋହର ସାର୍ଥକ ହେଉଛି
କାର୍ଯ୍ଯେ ତାର ଲାଗୁଲାଗୁ।
ସକାଳ ଅର୍ଡର ବେଡ୍ ଟି କର
ଗୋଡଟିକେ ମୋଡିଦିଅ,
ବାସନ କେଇଟା ମାଜିମୁଜି ଦେଇ
ମାର୍କେଟ ଜଲ୍ଦି ଯାଅ।
ସେଦିନ ମୋ ସ୍ତ୍ରୀ ବେଗ୍ଟି ଧରେଇ
ହାଟକୁ ପଠେଇ ଦେଲା,
ପୁରୁଣା ଲୁନାଟି ମୋତେ ବୋହିନେଇ
ହାଟ ଆଡେ ଦଉଡିଲା।
ଲମ୍ବା ଲିଷ୍ଟ୍ଟାଏ ଧରେଇ ଦେଇଛି
ପରିବା ସଉଦା ପାଇଁ,
ବଚ୍ଛାବଚ୍ଛି କରି ପରିବା ଆଣିବା
ମୋ ପକ୍ଷେ ସମ୍ଭବ ନୋହି।
ପରିବା ବେଅଗ ଧରି ଆସୁଆସୁ
ପୁଲିସ ପାଲେ ପଡିଲି,
ମାସ୍କ ମୁଁ ପିନ୍ଧିନି ଯେଣୁ ଭୁଲ୍ରେ
ଘରେ ଛାଡିଦେଇଥିଲି।
ଟଙ୍କା ପାଞ୍ଚଶହ ଶୀଘ୍ର ଗଣିବାକୁ
ପୁଲିସ୍ ବାବୁ କହିଲେ,
କାଣି କଉଡିଟି ପାଖେ ନଥିବାରୁ
ବେଗ୍ ମୋର ଚେକ୍ କଲେ।
କ'ଣ କେଜାଣି ଭାବିଲେ ପୁଲିସ୍
ପଚାଶେ ଓଲଟା ଦେଲେ,
ଘରେ ପହଞ୍ଚିଲେ କେମିତି ବଞ୍ଚିବୁ
ମୋତେ ସିଏ କହିଦେଲେ।
ଦୟାଳୁ ପୁଲିସ୍ ଛାଡ଼ିଦେଇ ମୋତେ
ଦେଲେ ପୁଣି ଏଇ ଟଙ୍କା,
ଘରେ ପହଞ୍ଚିଲି ଭାବୁଥିଲି ପୁଣି
ପୁଲିସି ବାବୁଙ୍କ କଥା।
ଘରଣୀ ମୋହର ଝିଙ୍କି ନେଇଗଲା
ପରିବା ବେଅଗଟିଏ,
ହଠାତ୍ ମୋ ମୁଣ୍ଡେ ଆସି ବାଜିଗଲା
ତ' ବେଲଣା କାଠିଟିଏ।
ଦୋଅକ୍ଷରୀ ଦେଶୀ ଓଡ଼ିଆ ସାହିତ୍ୟ
ମୋ ଉପରେ ବର୍ଷା କଲା,
ଧରିଥିବା ଝାଡ଼ୁ ମୋ ଉପରକୁ
ବାରମ୍ବାର ଉଠୁଥିଲା।
କାରଣଟା କ'ଣ ଜାଣିବା ପାଇଁକି
ଫୁର୍ସତ ପାଉନାହିଁ,
ପଚା ଟମାଟର ପୁଣି ବି ମୋ ମୁହେଁ
ବାଜି ଫାଟିଯାଏ ବୋହି।
ପୋକା ବାଇଗଣ ଗଣ୍ଡା ଛଅଟା ମୋ
ଦେହେ ଯେବେ ବାଜିଗଲା,
ତେବେ ଯାଇ ମୋର ଚେତନାପଶିଲା
ଏଇ ଭୁଲ୍ ମୋର ଥିଲା।
ଦୋଷ ହେଲାମୋର ସଭିଙ୍କ ଉପରେ
ଶୀଘ୍ର ବିଶ୍ଵାସ କରିବା,
ପରିବା ସଉଦା କିଣିଲା ବେଳେ ବି
ମୋବାଇଲ ଟିପୁଥିବା।
ପାଟି ମୋର ଖନିମାରି ଯାଉଥିଲା
ସ୍ତ୍ରୀ ଚଣ୍ଡୀ ରୂପ ଦେଖି,
ପୁଲିସି କାହିଁକି ମୋତେ ଛାଡିଥିଲେ
ବୁଝି ପାରିଲି ମୁଁ ଠିକ୍।
ଏମିତି ବାରଣା ଜୀବନ ଗଲାଣି
କେତେ ଦିନ ବା ବଞ୍ଚିବି,
ମୁରୂଖ ଅପର୍ତ୍ତି କହେ ଭଲ ବରଂ
ସ୍ତ୍ରୀ ବୋଲକରା ହେବି ।
