ଆସିଛି ରଜ
ଆସିଛି ରଜ
ଏ ବେଳା କାଳେ ବରଷାର ମେଳେ
ଆସିଛି ରେ ଏବେ ଦେଖ ରଜ
କେତେ କେତେ ଦିନ ଅପେକ୍ଷା ପରେ
ହୁଅ ସବୁ ଏବେ ସଜବାଜ ।
ବାନ୍ଧ ଏବେ ଦୋଳି ନ କର ଡେରି
ହେଇଛି କାଳ ତ ମହାମାରୀ
ମେଳି ହେବ ନାହିଁ, ସେ ଦିନ ନାହିଁ
ଏବେ ମନକୁ ଦେଇଛି ମାରି ।
ଯେଝା ଘରେ ସବୁ ପାଳିବେ ଏବେ
ଏକା ଏକା ରହି ସୁରକ୍ଷିତ
ଯେତେ ଯାହା ହେଲେ ପର୍ବ ଆମରି
ରୀତି କୁ ପାଳିବାକୁ ହେବ ତ ।
ପିଠା ପଣା କରି ଦିଅଁଙ୍କୁ ଦିଅ
ଜାଣିଛନ୍ତି ସେ ଆସିଛି ରଜ
ମନ କଥା ଏବେ ତାଙ୍କୁ କହିବ
କରି ତାଙ୍କୁ ବି ତ ସଜବାଜ ।
ସାଙ୍ଗ ସାଥି ମେଳ ହୋଇଛି ମନା
ଦାଉ ସାଧିଛି ଏବେ ତ କରୋନା
କେତେ ଯେ ଜୀବନ ନେଲଣି ଦୁଷ୍ଟ
ଯିବାର ତ ନାଁ ଏବେ ଧରେନା ।
ଝିଅ ଝିଆଣି ମନ ଏବେ ନିରାଶ
ମୁହଁରୁ ଲିଭିଛି ତାଙ୍କ ହସ
ପୁଅ ପୁତୁରା ବସି ଭାବୁଛନ୍ତି
ବାଗୁଡ଼ି ଖେଳ ହେବ ଅଦୃଶ୍ଯ ।
ମା ମାଉସୀ ବି ମନ ମାରିଛନ୍ତି
ଗାଁ ବୁଲିବା ତ ହୋଇଛି ମନା,
ବାପା ଦାଦା ସବୁ ଅଶାନ୍ତ ହୁଅନ୍ତି
ପଶା ପାଲି କହେ, ମତେ ଅନା ।
ଚାଷୀ ଭାଇ ତ ଚାହିଁ ରହିଥାଏ
ଏ ଦିନେ ହେବ ମାଟିର ପାଗ
ଏବେ ସେ ଭାବୁଛି ନିରାଶ ହୋଇ
ତା ଉପଜ କାହାକୁ ବିକିବ ।
ମୌସୁମୀ ଆସିଛି, ମାଟି ଭିଜିଛି
କିନ୍ତୁ ନାହିଁ ତାର ସ୍ୱାଗତ ମଜା
ଏବେ ସଭିଏଁ କାତରେ ରହନ୍ତି
ଆସିଛି ରଜ, ବାଜୁନି ବାଜା ।
ଶୁନ୍ ଶାନ୍ ସବୁ ରାସ୍ତା ବଜାର
ସଭିଙ୍କୁ ଲାଗେ ଭୀଷଣ ଡର
ତଥାପି ପ୍ରଭୁଙ୍କର ଇଚ୍ଛା ମାନି
ଆସିଛି ରଜ, ପାଳନ କର ।
