ଟିକେ ଶୁଣିବ କି ?
ଟିକେ ଶୁଣିବ କି ?
ହଇ ହୋ ଶୁଣୁଛ ଉଠୁନ କାହିଁକି
ବଜାରକୁ ଯିବ ପରା
ରାତି ପାହିଲେ ମୋ ସାବିତ୍ରୀ ବରତ
ମାଗୁନି ତୁମକୁ ହୀରା ।
ବଜାର ଯିବାକୁ କୁହନା ଲୋ ଗୋରୀ
ବାହାରେ କରୋନା ଭୟ
ତୋ ପୂଜା ପାଇଁକି ଅକାଳରେ ମୁହିଁ
ଯିବି ନାହିଁ ଯମାଳୟ ।
ସେତିକି ରଖିଥା ତୁମ ଥଟା କଥା
ଆଣିବ ଦି'ପଟ ଶଂଖା
ଶ୍ରୀଫଳ କଦଳୀ ଆମ୍ବ ପଣସ ଯେ
ତୁମେ ନଖାଇଲେ ଖା ।
କେମିତି ତୁହି ଲୋ ଆଧୁନିକ ନାରୀ
କାହା ପାଇଁ କରୁ ବ୍ରତ
କରୋନାଟା ଯଦି ନେଇ ଯିବ ମୋତେ
ମୋ ବୋପାର ପୁତ୍ର ।
ନିଆଁ ଗିଳା କଥା ମୁହଁରେ ଧରନି
ପିନ୍ଧିବ ତୁଣ୍ଡରେ ତୁଣ୍ଡି
ସାନଟାଇଜର ହାତରେ ବୋଳିବ
ଭାବନା ମୋତେ ହେ ହୁଣ୍ଡି ।
କାହିଁକି ଯାଉନି ବଜାରକୁ ମୁହିଁ
କହୁଛି ତୋତେ ବୁଝାଇ
ମୁଣ୍ଡେ ହେଲମେଟ ତୁଣ୍ଡେ ମୁଣ୍ଡି ଦେଲେ
ସାବିତ୍ରୀ ଦିଶିବେ ନାହିଁ ।
ରସିକିଆ ଛାଡି ପାଟ ପିନ୍ଧାଇବ
ଦଶ ହଜାରରେ ଆଣି
ବାପା ବୋଉ ଖୁଣ୍ଟା ଦେବ ନାହିଁ ମୋତେ
ସରଗକୁ ଦେଖିଲେଣି ।
ଝିଅ ଦେଇ ମୋତେ ମୁକୁଳି ଗଲେ ସେ
ପିନ୍ଧାଇ ଅହିର ହାର
ଚା' ବିସ୍କୁଟ ତୁ ପୂଜା କରିଦେ ଲୋ
କରୁଛି ଦୂରୁ ଜୁହାର ।
ମଦ ମାଉଁସକୁ ଗିଳିଲା ବେଳକୁ
ବାଟ ହୁଅ ନାହିଁ ବଣା
ସାବିତ୍ରୀ ପାଇଁକି ନାଟକ କରୁଛ
ଚୋବାଅ ଲୁହାର ଚଣା ।
ଲୋଡା ନାହିଁ ମୋର ସାବିତ୍ରୀ ବ୍ରତ ହେ
ସୁସ୍ଥ ଥାଅ ଚିର କାଳ
ତୁମେ ମୋ ସିନ୍ଦୂର ତୁମେ ମୋ ଈଶ୍ଵର
ତୁମେ ମୋ ସୌଭାଗ୍ୟ ଫଳ ।

