STORYMIRROR

Jyochhna rani Devi

Inspirational

3  

Jyochhna rani Devi

Inspirational

ରାତ୍ରି ଗୋ ତୁମେ

ରାତ୍ରି ଗୋ ତୁମେ

1 min
248


ସଂଜ ନଇଁଲେ ରାତ୍ରି ଗୋ ତୁମେ

       ଥିରିଥିରି ଚାଲିଆସ

କାହାକୁ ହସାଇ କାହାକୁ କନ୍ଦାଅ

    ଲଭ କହ କେଉଁ ଯଶ।



କଳାମେଘୀ ଶାଢୀ ତାରପନ୍ତି ଖଞ୍ଜି

      ଦିଶୁଥାଅ ଶୋଭାବନ

କର୍ମକ୍ଳାନ୍ତ ଦେହୀ ଥାଏ ବାଟ ଚାହିଁ

       କରିବାକୁ ଆଲିଙ୍ଗନ

ଶୃଙ୍ଗାର ରଚଇ ନବବଧୂ ବସି

      ଅନ୍ତରୁ ଫୁଟଇ ହାସ

ସଂଜ ନଇଁଲେ.............।



କର୍ଦ୍ଦମରେ ଲୋଟି ଦିନସାରା ଖଟି

      ନ ଆସେ ଆଖିକୁ ନିଦ

ତୁମରି ଛୁଆଁରେ ଲାଗଇକି ନିଆଁ

    ଖଟିଖିଆ ଶରବିଦ୍ଧ

ସକାଳ ଉଇଁଲେ ମହାଜନ ଠିଆ

    ସଂସାର ଲାଗଇ ବିଷ

ସଂଜ ନଇଁଲେ........।



ବାରଙ୍ଗନା କରେ ତୁମରି ପ୍ରତୀକ୍ଷା

    ଦେହ ହୁଏ ଜର୍ଜରିତ

ପ୍ରାଣର ପୁଲକ ମନ ତଳେ ମରେ

     ବୁଭୁକ୍ଷାର ନାହିଁ ଅନ୍ତ

ଦେହର ଜ୍ଵଳନ ଘୃଣିତ ଜୀବନ

      ସହି ଦିଏ ଦରହାସ

ସଂଜ ନଇଁଲେ..........।



ଘନକେଶୀ ତୁମ ଶତ ସିଂହାରକୁ 

      ଚୌର ରହିଥାଏ ଚାହିଁ

କାଳରାତ୍ରି ତୁମ ଅବଗାହନରେ

    ଯେବେ ଘୋଟେ କଳାଛାଇ

କେବେ ଆଣେ ଖୁସି କେବେ ପୁଣି ଫାଶୀ

     ଝୁଲୁଥାଏ କାଳଫାଶ

ସଂଜ ନଇଁଲେ.........।



ପାପର ପୀଡନ ଧର୍ମ ସଂହାରଣ

     ଘୋଟିଆସେ ତୁମ କତି

ତୁମେ ଚାଲିଗଲେ ସକାଳର ସୂର୍ଯ୍ୟ

    ଦୂର କରେ ଭୟଭ୍ରାନ୍ତି

ରାତ୍ରିର ଅଳନ୍ଧୁ ପରାଣର ଭୀତି

    ଦହନର ଯେତେ କ୍ଳେଶ

ସଂଜ ନଇଁଲେ.........।


ଅନ୍ଧାର ନ ଥିଲେ ଆଲୁଅର ଛିଟା 

    ଆସିବ ନାହିଁତ ଭବେ

ଦୁଃଖ ପରେ ସୁଖ ନିୟତିର ଖେଳ

    ସହିବାକୁ ହେବ ଲବେ

ଆଲୁଅ ସାଥିରେ ତୁମ କଳାଛାଇ

     ସମତାର ମଧୁବେଶ

ସଂଜ ନଇଁଲେ...........।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational