STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

ରାତି ପାହିଲାଣି ରାବଇ କାଉ

ରାତି ପାହିଲାଣି ରାବଇ କାଉ

1 min
311


ରାତି ପାହିଲାଣି ରାବଇ କାଉ

ଉଠ ଉଠ ମଠ ନକର ଆଉ ।

କେତେ ଆଉ ଶୋଇଥିବ ରେ ଧନ

ତୁମେ ତ ମୋହର ଜୀବଜୀବନ ।

ଆଖି ଖୋଲି ଟିକେ ଦେଖରେ ମୋତେ

କେତେ ଯନ୍ତ୍ରଣାରେ ସଢ଼ୁଛି ସତେ !

ଇଂରେଜ ଲୁଟିଲେ ମୋ ବୁକୁ ଧନ

ତୁମେ ବି ଲୁଟି କର କଳାଧନ ।

ଏକି ତୁମର ମହତ ପଣିଆ

ମୋତେ ନେଇ କଲ ଦାଣ୍ଡରେ ଠିଆ ।

ଦେଖ ଦୁଃଖୀ ଜନ ବିକଳେ କାନ୍ଦେ

ପାଉନାହିଁ ବି ସେ ତୋରାଣି ମୁନ୍ଦେ ।

ତୁମେ ମୂଷା ବନି ପେଟ ପୂରାଇ

ଅୟସ ଆରାମେ ରହିଛ ଜୀଇଁ ।

ନାରୀ ନିର୍ଯ୍ୟାତନା ଅସହ୍ୟ ହୋଇ

ହିଆକୁ ମୋହର ଦିଏ ଥରାଇ ।

ପଡ଼େନି ବି ଏଥୁ ବାଦ୍ ପୁରୁଷ

ବେବଫା ବା ଦୁଷ୍ଟା ଛିଣ୍ଡାଏ ହସ ।

ଲାଞ୍ଚୁଆ, ମିଛୁଆ, ଖଚୁଆ ଯେତେ

ମୋ ଲୁହ ପାଇଁ ବି ଦାୟୀ ସମସ୍ତେ ।

ଅସତ୍ୟ, ଅଧର୍ମ, ହିଂସା ଆଚରି

ନେଉଅଛ କି ତୁମେ ବାହାଦୁରି ?

ଜଙ୍ଗଲକୁ କାଟି କରିଲ ଧ୍ବଂସ

ଅସହ୍ୟ ତାତିରେ ଲିଭଇ ହସ ।

ଅହିଂସା ବଳରେ ହେଲ ସ୍ବାଧୀନ

ମନୁ ପାଶୋରିଲ ସେ ଶୁଭ ଦିନ ।

ହୃଦୟତନ୍ତ୍ରୀକୁ ଜାଗ୍ରତ କର

ଉଠିବାକୁ ଆଉ ମଠ ନକର ।

ଆସି ଉପସ୍ଥିତ ସେ ଶୁଭ ଦିନ

ପ୍ରାଚୀ ନଭୁ ଉଇଁଲେଣି ତପନ ।

ଘରେ ଘରେ ଝଣ୍ଡା ଉଡ଼ଇ ଆଜି

ଜାଗି ଉଠ ସର୍ବେ ଆଳସ୍ୟ ତେଜି ।

ଦେଖୁଥିବା ସ୍ବାଧୀନତା ସପନ

ଦିଅ ମିଳିମିଶି ପୂରଣେ ଧ୍ୟାନ ।

ନିଜର ସ୍ବାର୍ଥକୁ ମନରୁ ତେଜି

ସମୁହ ସ୍ବାର୍ଥେ ସର୍ବେ ଯାଅ ହଜି ।

ସକଳ ସୁଖରେ ଜଣକ ସୁଖ

ଏକଥାକୁ ତୋଳି ହୃଦୟେ ରଖ ।

ଦେଖିବ ଏଥୁ କି ଆନନ୍ଦ ଲାଭ

ସଭିଙ୍କ ପାଇଁ ଯାହା ଶୁଭାଶୁଭ ।

ତ୍ରିରଙ୍ଗା ତଳେ ଏ ଶପଥ ନିଅ

ମନ-ହୃଦୟେ ଦୃଢ଼ତା ବଢ଼ାଅ ।

ନିଶ୍ଚୟ ପ୍ରଚେଷ୍ଟା ହେବ ସଫଳ

ମୋ ହସେ ହସିବେ ଜୀବ ସକଳ ।

ତୁମରି ମାତାର ଏ ନିବେଦନ

ମମତା ଭକ୍ତିରେ ହୃଦୟେ ଘେନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract