ରାତି ଆସେ
ରାତି ଆସେ
ରାତି ଆସେ
ବୁର୍ଖା ପିନ୍ଧିଥିବା ମହିଳାର
ଜୁଳୁଜୁଳୁ ଦିଶୁଥିବା ଆଖି ଡୋଳାରେ
ପୋଡିଯାଇଥିବା ଗୋଟିଏ ଚାଳଘର
କୁଟା ପାଉଁଶ ଅଙ୍ଗାରରେ
ଶ୍ରାବଣର ଭଷା ବାଦଲମାନଙ୍କ ଦୋଳିରେ
ଦୂରକୁ ଫିଟିଯାଇଥିବା
ପ୍ରଶସ୍ତ ପିଚୁରାସ୍ତାର ଛାତିରେ
ଗୁମସୁମ ଚୁପଚାପ
ନିସ୍ତବ୍ଧ ଚିର ନିଘୋଡ ନିଦରେ
ରାତି ଆସେ
ବଢିଲା ଝିଅର ବାପାର
ବଢିଯାଉଥିବା ରକ୍ତଚାପରେ
ଆଖିରୁ ପାଣି ମରେ ମଦୁଆ ସ୍ଵାମୀପାଇଁ
ସ୍ତ୍ରୀ ଟିର ହାଇମରା ଅଳସରେ
ପ୍ରେମିକାର ଲୁଚାଛପା ପ୍ରଣୟ
ଧରାପଡିଲେ ଆଖିରେ
ଖୁଁ ଖୁଁ କାଶି କାଶି ବେଦମ
ହେଉଥିବା ବୁଢାର ଦୟାରେ
ରାତି ଆସେ
ଭୂତର ପଶରା ମୁଣ୍ଡେଇ
ଅଣ୍ଡାବାଲିର ସପନରେ
ହାଟରୁ ସଉଦା କିଣି କିଣି
ଠକିଯାଇଥିବା କିଶୋରୀର ଚପଳତାରେ
ଭେଣ୍ଡିଆ ପୁଅକୁ ହରାଇଥିବା
ଗୋଟିଏ ମାଆର ଗରମ ଲୁହରେ
ବାଘ ପଞ୍ଝାରୁ ଖସିଆସିଥିବା
ହରିଣୀ ପ୍ରାଣମୁର୍ଛା ଦୌଡରେ
ରାତି ଆସେ
ତମ ସହର ବସ୍ତିରେ
ଆମ ଗାଁ ଗଣ୍ଡା ସାହିରେ
ଆସୁଥାଏ ସେ ସବୁବେଳେ
ମୋ ମନ ତୁମ ସପନରେ
କୁହୁଡି ପରି ମାଡିଯାଏ
ଆମ ସଭିଙ୍କର ଜୀବନରେ
