ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ରହିଲା ସାକ୍ଷୀ
ରଖିଛି ସଜାଇ ମୋ ସୁନା ଭଉଣୀ
ଅର୍ଘ୍ଯଥାଳୀ ପୁଷ୍ପ ଦୀପ
ଚନ୍ଦନ କୁଙ୍କୁମ ଅକ୍ଷତ ସହିତ
ରେଶମୀ ରକ୍ଷା କବଚ ।
ଶ୍ରାବଣ ପୂର୍ଣ୍ଣମୀ ପବିତ୍ର ଉତ୍ସବ
ରକ୍ଷାବନ୍ଧନର ଦିନ
ଭାଇକୁ ବନ୍ଦାଇ ଭଉଣୀ ମନାସେ
ମମତା ସେନେହ ପ୍ରେମ ।
ରହିଅଛି କଥା ପୁରାଣେ ବର୍ଣ୍ଣିତ
ବୈକୁଣ୍ଠ ନିବାସ ଛାଡି
ଆସିଥିଲେ ସ୍ବୟଂ ଭଗବାନ ବିଷ୍ଣୁ
ପରିସ୍ଥିତି ଚକ୍ରେ ପଡି ।
ପ୍ରିୟ ଭକ୍ତ ଥିଲେ ଅସୁର ସମ୍ରାଟ
ପ୍ରହ୍ଲାଦଙ୍କ ନାତି ବଳୀ
ପ୍ରାସାଦେ ଶ୍ରୀବିଷ୍ଣୁ କରି ଅବସ୍ଥାନ
ସଙ୍କଟକୁ ଥିଲେ ଟାଳି ।
ବ୍ରାହ୍ମଣୀ ବେଶରେ ଆସି ମହାଲକ୍ଷ୍ମୀ
ପହଞ୍ଚି ବଳୀ ପ୍ରାସାଦେ
ବଳୀଙ୍କୁ ହସ୍ତରେ ପିନ୍ଧାଇଲେ ରାକ୍ଷୀ
ମମତା ସ୍ନେହ ସୌହାର୍ଦ୍ଦେ ।
ସୁକର୍ତ୍ତବ୍ଯ ବୋଧେ ଅସୁର ରାଜନ
ଭଗିନୀଙ୍କ ମନ ବୁଝି
ନିବେଦନ କଲେ ରହନ୍ତୁ ବୈକୁଣ୍ଠେ
ସର୍ବେ ହେବୁ ଆମ୍ଭେ ଖୁସି ।
କଟି ଯାଇଥିଲା କୃଷ୍ଣଙ୍କ ଅଙ୍ଗୁଳି
ଶିଶୁପାଳ ବଧ ବେଳେ
ପିନ୍ଧା ବସ୍ତ୍ର ଚିରି ତୁରନ୍ତ ଦ୍ରୋପଦୀ
କ୍ଷତ ସ୍ଥାନେ ବାନ୍ଧିଥିଲେ ।
କୁରୁସଭା ସ୍ଥଳେ ଦୁଷ୍ଟ ଦୁଃଶାସନ
କରିଲା ବସ୍ତ୍ର ହରଣ
ଦେଇ କୋଟି ବସ୍ତ୍ର ଭଗିନୀ କୃଷ୍ଣାର
ଲଜ୍ଜା କଲେ ନିବାରଣ ।
ନୁହେଁ ମାତ୍ର ରାକ୍ଷୀ ରେଶମୀର ଡୋରୀ
ଅତୁଟ ସ୍ନେହ ବନ୍ଧନ
କରିଥାନ୍ତି ଭ୍ରାତ ସତ୍ଯ ସୁସଙ୍କଳ୍ପ
ରଖିବେ ଭଗ୍ନିର ମାନ ।
