STORYMIRROR

Chinmay Behera

Inspirational Others

4  

Chinmay Behera

Inspirational Others

ରାଜା

ରାଜା

1 min
209

ନାହିଁ ସିନା ରାଜା ରାଜୁଡ଼ା ଶାସନ

             ମନ୍ତ୍ରୀ,କଟୁଆଳ କଥା

ଇତିହାସ ତଳେ ଅତୀତ ଶୋଇଛି

            ପିଟି ପିଟି ତାର ମଥା ।


ଆଶାର ଆକାଶେ ଆଞ୍ଜୁଳାଏ ଫୁଲ

             ଫୁଟୁଥିଲା ଯେବେ ଦିନେ

ସୁଖର ସପନ ସକାଳର ଶେଜେ

             ଚାଲୁଥିଲେ ମନେ ମନେ ।


କୁଆଡେ ଗଲା ସେ ରାଣୀ ହଂସପୁର

              ଅତରର ଇତିହାସ

ରାଜଜେମା ଆଉ ପ୍ରମୋଦ ଉଦ୍ୟାନ

              ସଖୀଙ୍କର ମିଠା ହସ !


କେତେ ଦାସ ଦାସୀ,ପରିଚାରିକାରେ

              ନାଚୁଥିଲା ଦରବାର

ରାଜ ଉଆସରୁ ଝରୁଥିଲା ନିତି

               ମମତାର ମଧୁଝର ।


ପାଟରାଣୀ'ଙ୍କର ଚାହାଣୀ ଭିତରେ

             ଖୋଜି ଖୋଜି ପ୍ରେମ ଗୀତି

କେତେ ଯେ ପୁନିଅ ରାତିର କାହାଣୀ

             ଯାଉଥିଲା ଆପେ ବିତି ।


କେତେ ନୀତି ଆଉ ଦୟାର ଦୁଆରେ

               କ୍ଷମାର ମଶାଲ ଜାଳି

ଶାନ୍ତିର ପତାକା ଉଡାଇ ଉଡାଇ

              ହିଂସାକୁ ଦେଇଛି ବଳି ।


ଦୁନିଆ ଯାକର ସୁଖ ସାଉଁଟିଛି

             ଦୁଃଖର ବାଦଲ ଚିରି

ଏ ରାଜଉଆସ ମୂକସାକ୍ଷୀ ସିନା

             ମାଟି ହୁଏ ଖାଲି ଝୁରି ।


Rate this content
Log in

Similar oriya poem from Inspirational