ରାଗ
ରାଗ
ରାଗ ଏମିତି କେଉଁ ଦରବ
ବୁଝେଇ ଦେବି ଆସ
ମନ ଲଗାଇ ଶୁଣିବ ଯଦି
ଚକା ପାରିକି ବସ ।
କଥା କଥା କେ ଯାଏ ଯେ ରାଗି
କରି ଏଡ଼ିକି ମୁହଁ
କିଏ ବା ତାକୁ ପାଇବ ଭଲ
ଇଏ ତ ଭଲ ନୁହଁ ।
ହେଲେ ହେଉ ସେ ବଡ଼ କି ଛୋଟ
ରାଗ ହୁଏ ଯା' ମିତ
ଖରାପ ବାଟ ଦିଶଇ ତାକୁ
ହୁଏନା ତା'ର ହିତ ।
ବୁଦ୍ଧି ବିବେକ ହଜଇ ଆଉ
ହୁଏ ସରବନାଶ
ରାଗ ଏମିତି କେଉଁ ଦରବ
ବୁଝେଇ ଦେବି ଆସ ।
ମନେ ଏମିତି ତିଳେ ବି ରାଗ
ଯଦି ବା ଆସେ କେବେ
ସେଇ ବେଳକ ପାରିଲେ ସହି
ଜିଣିଲ ଜାଣ ତେବେ ।
ବୁଝି ବିଚାରି କରିଲେ କାମ
ଲାଜେଇ ଯିବ ରାଗ
ମନରେ ବସା ବାନ୍ଧିବା ପାଇଁ
ପାଇବ ନାହିଁ ବାଗ ।
ରାଗ ଯା କରି ପାରେନା ତାହା
ପାରିବ କରି ହସ
ରାଗ ଏମିତି କେଉଁ ଦରବ
ବୁଝେଇ ଦେବି ଆସ ।
