ରାଧା ଆସିଛନ୍ତି ବଡ଼ଦାଣ୍ଡକୁ
ରାଧା ଆସିଛନ୍ତି ବଡ଼ଦାଣ୍ଡକୁ
ରାଧାଆସିଛନ୍ତି ବଡ଼ ଦାଣ୍ଡେ ପୁଣି
ଜଗା ମନ ଅସମ୍ଭାଳ,
ଗୁଣ୍ଡିଚା ମନ୍ଦିର ଛାଡି ପହଞ୍ଚିଲେ
ରାଈ ପାଶେ ଦାମୋଦର।
ଏଣେ ଖୋଜୁଛନ୍ତି ଗୁଣ୍ଡିଚା ମାଆଟି
ଜଗାଟା କୁଆଡେ ଗଲା?
ଶୁଭଦ୍ରା କହୁଛି ଏଇଠୁ ଆସୁଛି
କହି ଭାଇ ଚାଲିଗଲା।
ବଡଭାଇ ଯେଣୁ ଗୁଣ୍ଡିଚା ଯାତରେ
କେନ୍ଦ୍ରାପଡ଼ା ଯାଇଛନ୍ତି,
ତେଣୁ ଜଗନ୍ନାଥ ରାଈ ସୁନ୍ଦରୀକୁ
ବଡଦାଣ୍ଡେ ଡାକିଛନ୍ତି।
ପୋଡପିଠା ଖଣ୍ଡେ ଖୋଇବା ପାଇଁକି
ମାଆ ମୋ ଗୁଣ୍ଡିଚା ରାଣୀ,
ଜଗା ଜଗା ଡାକି ପୁଅକୁ ସେ ଖୋଜି
ବାୟାଣୀ ପ୍ରାୟେ ହେଲେଣି।
କ'ଣ କରିବି ଧନ ମୋର ଆଜି
କୁଆଡ଼କୁ ଚାଲିଗଲା,
କେଉଁଠି ଖୋଜିବି ରଙ୍ଗାଅଧରକୁ
କେତେ ସେ ହୁଏ ଚଗଲା।
କେଉଁ କାମରେ ତ ଲାଗୁନାହିଁ ମନ
ମାଆ ଗୁଣ୍ଡିଚା ରାଣୀର,
ଡହଳ ବିକଳ ହୁଅନ୍ତି ମାଆ ମୋ
ଆଖିରୁ ଗଡାଇ ନୀର।
କେତେ ଭାବିଭାବି ମାଆ ମୋ ଗୁଣ୍ଡିଚା
ବାଟଟିଏ ପାଇଗଲେ,
ପୁଅ ବଳିଆକୁ ସାଙ୍ଗେସାଙ୍ଗେ ମାଆ
ଧ୍ୟାନରେ ସ୍ମରଣ କଲେ।
ତୁଳସୀ କ୍ଷେତ୍ରରୁ ବଡଠାକୁର ମୋ
ମାଆଙ୍କ ଦର୍ଶନ ପାଇ,
ପ୍ରଣାମ ଜଣାଇ ଭଲମନ୍ଦ କଥା
ପୁଚ୍ଛନ୍ତି ରେବତୀ ସାଇଁ।
କହିବ କି ମାଆ କୁଶଳ ବାରତା
ଜଗା ଶୁଭଦ୍ରାଙ୍କ କଥା,
ଯେଣେ ମୁଁ ଆସିଲି ତୁଳସୀ କ୍ଷେତ୍ରକୁ
ମନେ କି ପାଇଛୁ ବ୍ୟଥା?
ମମତାମୟୀ ମୋ ଗୁଣ୍ଡିଚା ଜନନୀ
ଆଖିରୁ ଗଡ଼ାଇ ପାଣି,
କହନ୍ତିରେ ଧନ ତୋ ବିହୁନେ ପୁଣି
ଅନ୍ଧୁଣୀ ହୋଇଗଲିଣି।
ସାନଭାଇ ଆଉ ସାନଭଉଣୀଙ୍କୁ
ମୋ ପାଶରେ ଛାଡିଗଲୁ,
ବ୍ରହ୍ମ ତାଳଧ୍ଵଜେ ବସି ଭକ୍ତ ମେଳେ
ମାଆକୁ ତୁ ପାଶୋରିଲୁ।
ଲୋକ ଜାଣିବାକୁ ନୀଳାଚଳ ଧାମେ
ତିନିରଥ ସିନା ଗଡେ,
ତୁ କିନ୍ତୁ ରହିଲୁ ତୁଳସୀ କ୍ଷେତ୍ରରେ
ମୁଁ ତାହା ଜାଣିପାରେ।
ତୋ ଧବଳ ମୁଖ ମୋଆଖିରେ ନାଚେ
ଅନ୍ନ ଜଳ ରୁଚୁନାହିଁ,
ହତଭାଗିନୀ ମୁଁ ଝୁରି ମରୁଛିରେ
ତୋ ବାଟକୁ ଚାହିଁ ଚାହିଁ।
ସାନଭାଇ ତୋର ଆସିଲା ଦିନରୁ
ମୋ ମନ୍ଦିରେ ରହୁ ନାହିଁ,
ଭାବବିନୋଦିଆ ଭକତ ରସିଆ
ଭକ୍ତ ସାଙ୍ଗେ ହୁଏ ବାଇ।
ଯାଇଛି ଯେ ଆଜି ସକାଳ ପ୍ରହରୁ
ଏ ଯାଏ ଫେରିଲା ନାହିଁ,
ତେଣୁ ରେ ବଳିଆ କିଛି ଗୋଟେକର
ଫେରିଆସୁ ମୋ କହ୍ନେଇ।
ବଳିଆ କହିଲେ ଚିନ୍ତା ନାହିଁ ମାଆ
ନିଶ୍ଚୟ କିଛି କରିବି,
ଜଗା କାନ ମୋଡ଼ି ତୋ ପାଖରେ ମା'
ନିଶ୍ଚେ ହାଜର କରିବି।
ଦିବ୍ଯନେତ୍ରେ ପ୍ରଭୁ ସ୍ଵୟଂ ମଣିବ୍ରହ୍ମ
ଜଗା ଲୀଳା ଦେଖିଦେଲେ,
ରାଧା ସଙ୍ଗେ ବାଇ ହୁଅନ୍ତି କହ୍ନେଇ
ଅଦୃଶ୍ଯେ ବଡ଼ ଦାଣ୍ଡରେ।
ସେଣେ ଲକ୍ଷ୍ମୀ ମାତା ଜାଣି ଏହିକଥା
ସେଠାରେ ପହଞ୍ଚିଯାନ୍ତି,
ରାଧାକୃଷ୍ଣଙ୍କର ଯୁଗଳ ମୂରତୀ
ଦେଖି କମ୍ପମାନ ହୋନ୍ତି।
ମୋତେ ଛାଡ଼ପତ୍ର ଦିଅ କଳାକାହ୍ନୁ
ରାଧା ସଙ୍ଗେ ରାସକର,
ଏଇଥି ପାଇଁକି ମୋତେ ନ ନେଇକି
ଯାଉଛ ମାଉସୀ ଘର।
ଏଘଟଣା ବଡ଼ ଭାଇ ଦେଖୁଥିଲେ
ତାଙ୍କରି ଦିବ୍ୟ ନେତ୍ରରେ,
ଲକ୍ଷ୍ମୀ ପୁରାଣର କଥାଗୁଡା ଭାବି
ଛାନିଆଁ ସେ ହୋଇଗଲେ।
ଲକ୍ଷ୍ମୀ କୋପକଲେ ଆଉ ରକ୍ଷା ନାହିଁ
ଦାନାକନା ମିଳିବନି,
ଏଇ ଜଗା ପାଇଁ ଏତେ କଷ୍ଟ ଆଉ
ମୁଁ ଯେ ସହି ପାରିବିନି।
ଏ କଥାକୁ ଭାବି ବଳିଆ ସାଆନ୍ତ
ଆଉ ପାରିଲେନି ରହି,
ବ୍ରହ୍ମ ତାଳଧ୍ଵଜ ରଥେ ପହଞ୍ଚିଲେ
ନିମିଷକେ ପ୍ରଭୁ ତହିଁ।
ଦେଖିଲେସେ ନେତ୍ରେ ଯୁଗଳ ମୂରତୀ
ପ୍ରକୃତି ପୁରୁଷଙ୍କର,
ସେତିକିରେ ମନ ପେଟ ପୁରିଗଲା
ବଳିଆ ଠାକୁରଙ୍କର।
ମାୟାଧର ପୁଣି ମାୟା କରିଦେଲେ
ରାଧା ଦେହେ ମିଶିଗଲା,
ଲକ୍ଷ୍ମୀ ମନ ବଡଭାଇ ବୁଝାଇଲେ
ସବୁ ସମାଧାନ ହେଲା।
ଜଗାଦେଖି ଦେଲେ ବଡ଼ ଭାଇଙ୍କୁ ସେ
ପାଦେ ଯାଇ ପ୍ରଣମିଲେ,
ପ୍ରଭୁ ବଳଦେବ କାଳିଆ କାହ୍ନୁକୁ
କୋଳକରି ଗେଲ କଲେ।
କହିଲେ ରେ ଜଗା ତୋହରି ମାୟାଟି
ତୋତେ ପୁଣି ଅଗୋଚର,
କି ଲୀଳା କରିଲୁ ବଡଭାଇକୁ ତୁ
ଆଣିଲୁ ବଡ଼ଦାଣ୍ଡର।
ତୁଳସୀ କ୍ଷେତ୍ରରେ ଆଜି ଗଡିଲାନି
ତାଳଧ୍ଵଜ ରଥ ମୋର,
ତେଣୁ ତୁ ଏ ଲୀଳା ଭିଆଇ ଆଣିଲୁ
ମୋତେ ତ ମାଉସୀ ଘର ।
ତୋମାୟା କପଟ ମୋତେ ଜଣା ସିନା
ନାଟୁଆ କଳା କହ୍ନେଇ,
ଗୁଣ୍ଡିଚା ମାଆଙ୍କୁ ନ ଜଣେଇ ତୁହି
ଆସିଥିଲୁ କାହିଁ ପାଇଁ?
ଜାଣିଛୁକି ନାହିଁ ମା' ଗୁଣ୍ଡିଚାରାଣୀ
ହୋଇଗଲେଣି ବାୟାଣୀ,
ତୁ କାହୁଁ ଜାଣିବୁ ମାଆମନ ବ୍ୟଥା
ହଟିଆ ରସିକମଣି।
ଏହା କହି ଭାଇ ଜଗା କାନ ଧରି
ଗୁଣ୍ଡିଚା ମନ୍ଦିର ନେଲେ,
ଗୁଣ୍ଡିଚା ମାଆଙ୍କ ପେଟ ପୁରିଗଲା
ଦୁଇପୁଅଙ୍କୁ ଦେଖିଲେ।
ତା'ପରେ ଯାହା ଘଟଣା ଘଟିଲା
ରହିଲା ଆରଥରକୁ ,
ଯାହା ଘଟୁଥିଲା ଠାକୁରଙ୍କ ଲୀଳା
କ୍ଷମା କର ଅପର୍ତ୍ତିକୁ।
