ରାବଣ ପୋଡ଼ି
ରାବଣ ପୋଡ଼ି


ଘରେ ଘରେ ଏଠି ଠାକୁର ପୁଜନ୍ତି
ଫୁଲ ରୁହେନି ଗଛରେ
ଗାଆଁରେ ଗାଆଁରେ ପ୍ରତି ରାସ୍ତା କଡେ
ନିତି ହରି ନାମ ଚାଲେ
କା'ର, ଭକ୍ତି ନାହିଁ ହୃଦୟରେ
ଲୋକ ଦେଖାଣିଆ ଭକତ ଠାପୁଆ
ଚଳନ୍ତି ଏହି ଚାନ୍ଦାରେ ।।
ଦେବା ଦେବୀ ପୂଜା ନିତି ବାଜେ ବାଜା
ଘଣ୍ଟ ଗିନି ମୃଦଙ୍ଗରେ
ହୃଦୟ ଭିତରେ ମଇଳା ବାସେରେ
ବାହାରେ ଚନ୍ଦନ ବୋଳେ
ଏଠି,ଅନ୍ୟାୟ ତ ବଢ଼ି ଚାଲେ
କାହିଁ ପାଇଁ ଭାଇ ପ୍ରହସନ ଏହି
ଆଗ, ମଇଳା ଫିଙ୍ଗ ଦୂରରେ ।।
ହୁଏ ଦୁର୍ଗା ପୂଜା ଉଡେ ମାଆ ଧ୍ଵଜା
କେଡେ କେଡେ ମଣ୍ଡପରେ
କୋଟି କୋଟି ଟଙ୍କା କରି କେତେ ଦଙ୍ଗା
ଆଦାୟ ହୁଏ ଚାନ୍ଦାରେ
ଅଧେ, ଯାଏ ତ ମଦ ମାଂସରେ
ରାବଣର ପୋଡ଼ି ଉତ୍ସବ ଭସାଣୀ
ଭାସଇ ମଦ ବନ୍ୟାରେ ।।
ନଡ଼ା, କାଠ,କୁଟା ରାବଣ ଦେହଟା
ପୋଡ଼ି ଦେଲେ ପୋଡିଯାଏ
ହୃଦୟରେ ସ୍ଥିତ ମଇଳା କେବେ ତ
ପୋଡେ ନାହିଁ ଦେହେ ରୁହେ
ସଦା,ସାଲୁବାଲୁ ହେଉଥାଏ
ଭିତର ଅଳିଆ ନ ଫିଙ୍ଗି ବଳିଆ
ବାହାର ଅଳିଆ ଦହେ ।।
ପାପ ଭାରା ପୁଣି ଶ୍ୱାସ ରୁନ୍ଧିଲାଣି
ନିଃଶ୍ୱାସ ପ୍ରଶ୍ୱାସ ଖର
ଅକ୍ସିଜେନ୍ ଆଜି ପୃଥିବୀ ଖୋଜୁଛି
ପାପ ରୋଗେ ଥରହର
କା'ର, ସେଥିକୁ ନାହିଁ ଖାତର
କେତେବେଳେ ଶେଷ ହେବ ତା ନିଶ୍ବାସ
ପଡ଼ିଯିବ ହା ହା କାର ।।