ପୂଜାଫୁଲ
ପୂଜାଫୁଲ
ଫୁଲଟିଏ ମୁହିଁ ପତ୍ର ଗହଳରେ
ସକାଳୁ ବସିଛି ଚାହିଁ
ମନ୍ଦିର ଯିବି କି ମଶାଣୀକୁ ଯିବି
ହିସାବ ମୋ ପାଖେ ନାହିଁ ।
ବରକନ୍ୟା ଗଳେ ଝୁଲିବି ଅବା ମୁଁ
ସଭା ସମିତି ମଣ୍ଡିବି
କାହା ଘର ଶୋଭା ବଢାଇବି ଅବା
କା' ଗଭା ଗଜରା ହେବି ।
ଅଳ୍ପାୟୁଷ ନେଇ ଆସିଛି ଧରାକୁ
ମୋ ଇଚ୍ଛା କା' ରେ କହିବି
ଦରଦୀ ମଣିଷ ଖୋଜୁ ଖୋଜୁ କିବା
ଧରଣୀରେ ଲୋଟି ଯିବି ।
ତଥାପି ନିରବେ କହୁଛି କହ୍ନେଇ
ମୋ ମନ ବେଦନା କଥା
ଭକତ ହାତରେ ଛନ୍ଦି ଦେ'ରେ ମୋତେ
ହୁଏ ମୁଁ ତୋର ସେବିତା ।
ଭକ୍ତ ଭଗବାନ ସଂଯୋଗୀ କରିଦେ
କରି ଦେ'ରେ ପୂଜାଫୁଲ
ଭକତ ଭାବରେ ଅବଗାହୁ ଥିବି
ତୋ ସ୍ପର୍ଶ ଅମୂଲ ମୂଲ ।
ପୂଜା ଫୁଲ ହୋଇ ତୋ ମଥାରେ ଥାଇ
ନିଜକୁ ଧନ୍ୟ ମଣିବି
ତୋ ପାଦରେ ଲୋଟି ତୋ ଲାବଣ୍ୟ ମୂର୍ତ୍ତି
ମନ ଭରି ଦେଖୁ ଥିବି ।
ପୂଜାଫୁଲ ହୋଇ ଗଳାରେ ଝୁଲିଲେ
ତୋ ଅଙ୍ଗ ଗନ୍ଧେ ଭାସିବି
ବିମୋହିତ ହୋଇ ମୋହନ ମୁରଲୀ
ସ୍ଵନରେ ମୁଁ ହଜି ଯିବି ।
ପୂଜାଫୁଲ ହୋଇ ତୋ ଚାରିପଟ କୁ
ମହକରେ ଭରୁ ଥିବି
ବେଶ ମନୋହର ତୋ ଛନ୍ଦା ପୟର
ଦେଖି ମଜ୍ଜି ରହୁ ଥିବି ।
ତୋର ବଗିଚାରେ ଫୁଲଟିଏ କରି
ଛାଡ଼ିଛୁ ଯଦି ମୋହନ
ସେବା ଭାବ ଦେଇ ମହାକାଇ ଦେଏ
ଏ ନିଃସ୍ଵ ଫୁଲ ଜୀବନ ।
ରଙ୍ଗମୟ ପଛେ ନ ହେଉ ମୋ ରୂପ
ଶ୍ଵେତ ସ୍ନିଗ୍ଧ କରି ଦେଏ
ଶ୍ଵେତାବରଣରେ ପବିତ୍ର ଭାବର
ସଂଯୋଜନା ତୁ କରି ଦେ ।
ମୋ ସରଳ ଭାବ ସ୍ନିଗ୍ଧତା ଅପରେ
ଭକ୍ତି ଭାବ ଯେ ଜଗାଉ
ମୋତେ ତୋଳି ନେଇ ଶ୍ୟାମ ତୋ ଗଳାରେ
ଆନନ୍ଦେ ଲମ୍ବାଇ ଦେଉ ।
ପ୍ରତି ପ୍ରଭାତର ସିରି ସିରି ବାଆ
ପତରେ କାକର ଛିଟା
ପୂଜାଫୁଲ ହେବା ଆକୁଳତା ନେଇ
ଆଖିରେ ପ୍ରେମ ପ୍ରତୀକ୍ଷା ।