ପତି ପତ୍ନୀ
ପତି ପତ୍ନୀ
ଗୋଟିଏ ପୁରୁଷ ଗୋଟିଏ ନାରୀ
ଗୋଟିଏ ଡୋରିରେ ବନ୍ଧା,
ବିଧାତା ଗଡିଛି ସେ ଅପୂର୍ବ ଯୋଡ଼ି
ସୁଖରେ ଦୁଃଖରେ ଛନ୍ଦା ।
ଏକ ବିନା ଆନ ଅଧା
ଜଣେ ଯଦି ହୁଏ ଅନ୍ଧାର ରଜନୀ,
ଆନଟି ରଜନୀଗନ୍ଧା ।
ଜଣେ ଯଦି ହୁଏ ଦିବସର ସୂର୍ଯ୍ୟ
ଅନ୍ୟଟି ସେ ସୂର୍ଯ୍ୟ ଶକ୍ତି,
ଜଣେ ଯଦି ହୁଏ ମହର୍ଷି ବଶିଷ୍ଠ
ଆଉ ଜଣେ ଅରୁନ୍ଧତୀ ।
ଜଣେ ପତ୍ନୀ ଜଣେ ପତି
ଜଣେ ଯଦି ହୁଏ ସ୍ବର୍ଗ ଅଧିଶ୍ବରୀ
ଆଉ ଜଣେ ସୁରପତି ।
ପତି ଜୀବନର ଅମା ଅନ୍ଧକାରେ
ପତ୍ନୀ ଆଲୋକ ବର୍ତ୍ତିକା,
ଅଙ୍କା ବଙ୍କା ପତ୍ନୀ ଜୀବନ ସରିତେ
ପତି ହିଁ ଦୃଢ଼ ନଉକା ।
ଜଣେ ଅହଂ ଆନ ଅହମିକା
ଜୀବନ ରଙ୍ଗୀନ ରଙ୍ଗ ମଞ୍ଚେ ପତି -
- ନାୟକ, ପତ୍ନୀ ନାୟିକା ।
ଜୀବନ ସଂଗ୍ରାମେ ପତି ପତ୍ନୀ ଦୁହେଁ
ଦ୍ରୁତ ସହଯୋଗୀ ଯୋଦ୍ଧା
ଜଣକୁ ଆଘାତ ଅନ୍ୟଠାରେ କ୍ଷତ
ପତି ବିଷ ପତ୍ନୀ ସୁଧା।
ପତ୍ନୀ ହିଁ ଅଟେ ବସୁଧା
ସହିଯାଏ ଦୁଃଖ ପିଇ ଯାଏ ଲହୁ
ଦିଏ ନାହିଁ ତିଳେ ବାଧା ।
ପତ୍ନୀ ସହକର୍ମୀ ପତ୍ନୀ ସହଧର୍ମୀ
ପତ୍ନୀ ଅଟେ ଅର୍ଦ୍ଧାଙ୍ଗିନୀ,
ସ୍ବାମୀ ଗର୍ବେ ଗର୍ବି ସିନ୍ଦୂର ଲଗାଇ
ସାଜିଥାଏ ସିମନ୍ତିନୀ ।
ସ୍ୱଭାବେ ନାରୀ ଦୁର୍ବଳା
ପତି ସାହଚର୍ଯ୍ୟ ଲାଭକରି ପତ୍ନୀ
ବନିଯାଏ ଚାରୁଶିଳା ।
ପତ୍ନୀ ପତି ଦୁହେଁ ପରସ୍ପର ସାଥୀ
ଜନ୍ମ ଜନ୍ମାନ୍ତର ପାଇଁ,
ସ୍ନେହ ଶ୍ରଦ୍ଧା ତ୍ୟାଗ ଓ ବିଶ୍ୱାସ ନେଇ
ଦାମ୍ପତ୍ୟ ଜୀବନ ଜୀଇଁ ।
ପରକୀୟା ପ୍ରୀତି ପାଇଁ
ଛାରଖାର କରେ ସୁନାର ସଂସାର
ଯେହ୍ନେ ପୂର୍ଣ୍ଣ ଗର୍ଭା ନଈ ।
