ପ୍ରତ୍ୟାଶା
ପ୍ରତ୍ୟାଶା
ବୁଲୁଥିଲି ଦିନେ ସାଗର ବେଳାରେ
ଦେଖିଲି ଶାମୁକାଟିଏ
ଲହଡି ଆଘାତେ କ୍ଳାନ୍ତ ଦେହ ତାର
ବାଲୁକାରେ ଲୋଟୁଥାଏ I
କାନେ ମୋ ପଡିଲା କ୍ଷୀଣ ସ୍ୱର ତାର
କହୁଥିଲା ଥିରି ଥିରି
ମୋ ଭିତରେ ଅଛି ଦୁର୍ମୂଲ୍ୟ ମୁକୁତା
ନିଅ ମୋର ଛାତିଚିରି I
ମୁକୁତା ମୋହର ଲୋଡା ନାହିଁ ବୋଲି
କହିଲି ମୁଁ ହସି ହସି
ତୋ ପେଟ ଭିତରେ ମୁକ୍ତା ରହିଥାଉ
ସେଇଥିରେ ମୋର ଖୁସି I
ମୁକ୍ତା ଗୋଟିକ ସବୁଦିନ ପାଇଁ
ଶାମୁକା ଗର୍ଭରେ ଥାଉ
ସେଇ ମୁକ୍ତା କୁ ପାଇବାର ଆଶା
ମୋ ଭିତରେ ଜୀଇଁ ରହୁ I
