STORYMIRROR

Lata Behera

Abstract

4  

Lata Behera

Abstract

ପ୍ରତିଶ୍ରୁତି

ପ୍ରତିଶ୍ରୁତି

2 mins
390


ପ୍ରତିଶ୍ରୁତି ଦେବା ବଡ କଥା ନୁହେଁ 

ପାଳନ କରିବା ବଡ

ଦେଲ ଯଦି ପଛଘୁଞ୍ଚା ଦିଅ ନାହିଁ 

ଆସୁ ପଛେ ଯେତେ ଝଡ ।


ଜୀବନଟା ପଛେ ବାଜି ପଡି ଯାଉ

ରକ୍ଷା କର ପ୍ରତିଶ୍ରୁତି

ରଖି ନ ପାରିଲେ ସେଇ ପ୍ରତିଶ୍ରୁତି 

ନିନ୍ଦାରେ ହେବ ଗଣତି ।


ମିଛ ବୋଲି ଏଇ ଦୁନିଆ କହିବ

ନିଜକୁ ଲାଗିବ ଛୋଟ

ନିଜ ପାଖେ ନିଜେ ତୁମେ ହାରି ଯିବ

ହେଉଥିବ ଛଟପଟ ।


ନିଜକୁ ଧିକାର ଲାଗିବ ବହୁତ

ମିଛ ପ୍ରମାଣିତ ହେବ

ମିଛୁଆ ବୋଲି ତ କହିବ ଜଗତ 

କୁହ କି ସହି ପାରିବ ?


ହୋଇବ ଘୃଣିତ ହେବ ବି ଲଜ୍ଜିତ

ବିଦ୍ରୁପ କରିବେ କେତେ

ସହି ହେବ ନାହିଁ ସେଇ ଉପହାସ

ଭାସିବ ଲୁହର ସ୍ରୋତେ ।


ସାମାନ୍ୟ କଥାରେ ଭାସି ଯାଇ କେବେ 

ଦିଅ ନାହିଁ ପ୍ରତିଶ୍ରୁତି 

ପ୍ରତିଶ୍ରୁତି ଦେବା ପୂର୍ବରୁ ସମ୍ପୂର୍ଣ୍ଣ 

ଶୁଣି ସ୍ଥିର ରଖ ମତି ।


ଭଲ ସେ ପରଖ ଭଲ କି ତନଖ

ସତ୍ୟତା ରହିଛି କେତେ

ବିବେକ ଖେଳାଅ ହୃଦୟେ ପଚାର

ତେବେ ଯାଇ ଦିଅ ସତେ ।


ଦେଇ ଦେଲ ଯଦି ସେଇ ପ୍ରତିଶ୍ରୁତି 

ପଛକୁ ପାଦ ହଟନା

ଏ ଦୁନିଆ ପଛେ ଯାହା କହୁ ଥାଉ

ତା ସାଥି କେବେ ଛାଡନା ।


ବିପଦ ଆପଦ ଦୁଃଖ ସୁଖ ଆସୁ

ଆସୁ ଅବା ଝଡଝଞ୍ଜା 

ନିଜ ପ୍ରତିଶ୍ରୁତି ନିଜେ ରକ୍ଷା କର

ଦିଅ ନାହିଁ ପଛଘୁଞ୍ଚା ।


ଏଇତ ଜୀବନ ଅଢେଇ ଦିନିଆ 

 ଚିରସ୍ଥାୟୀ ନୁହେଁ ଏହା

ପ୍ରତିଶ୍ରୁତି ଦେଲେ ପାଳନ ବି କର 

ହେଇଯାଉ ପଛେ ଯାହା ।


ଯାଉ ଏ ଜୀବନ ରଖ ତ ବଚନ

ବଚନୁ ଓହର ନାହିଁ 

ଥରେ ଯଦି ତୁମେ ଓହରି ଯାଇଛ

ପସ୍ତେଇବ ନିଶ୍ଚେ ତହିଁ ।


ଯେତେ ପସ୍ତେଇଲେ କିଛି ଲାଭ ନାହିଁ 

ସିଏ କି ଫେରି ଆସିବ

ପ୍ରତି ମୁହୂର୍ତ୍ତରେ ସେଇ ପ୍ରତିଶ୍ରୁତି 

ହାତ ଠାରି ହସୁ ଥିବ ।


ପ୍ରତିଶ୍ରୁତି ଯିଏ ରଖି ନ ପାରିବ

କେବେ କାହାକୁ ଦିଅନି

ପଛରେ ନିଜର ସ୍ବାର୍ଥକୁ ଦେଖିଣ

ଛଳନେ ଖସି ଯାଅନି ।


ସେଇ ଖସିବାଟା ମହଙ୍ଗା ପଡଇ

ଖୁସି ଧୋଇ ହେଇ ଯିବ

ଜୀବନର ସୁଖ ଶାନ୍ତି ହଜି ଯିବ

ଜଳି ଜଳି ବଞ୍ଚୁ ଥିବ ।


ତା ଆଖିର ସେଇ ଟୋପେ ଲୁହ ପାଇଁ 

ବରବାଦ ହେଇଯିବ

ବିଶ୍ବାସ ଭରଷା ସବୁ ହରେଇବ

ହାରି ବସି କାନ୍ଦୁଥିବ ।


ସେଇ କାନ୍ଦ ଲୁହ ପୋଛି ଦେବା ପାଇଁ 

ନା ଆସିବ କାହା ହାତ

ବଞ୍ଚି ଥିବ ସତ ଜୀବନ ନ ଥିବ

ହୋଇଣ ଦୋଷୀ ସାବ୍ୟକ୍ତ ।


ଯେତେ ଚାହିଁଲେ ବି ମକ୍ତି ପାଇବନି

କ୍ଷତାକ୍ତ ହେବନି ଇତି

ନିଃସଙ୍ଗ ଜୀବନେ ସଢୁ ଥିବ ସାଥେ

ଥିବ ମିଛ ପ୍ରତିଶ୍ରୁତି ।



Rate this content
Log in

Similar oriya poem from Abstract