ପ୍ରତିଶୋଧ
ପ୍ରତିଶୋଧ
ପ୍ରତିଶୋଧ ପରାୟଣ ମଣିଷ
ଭୁଲିଯାଏ ସମ୍ପର୍କର ପରିଭାଷା
ଦୟା କ୍ଷମା ଛାଡ଼ି ଜାନୁଆର ପାଲଟେ ।
ମାନବିକତା ବହୁ ଦୂରେ
ଆସୁରିକ ପ୍ରବୃତ୍ତି ବଶବର୍ତ୍ତୀ
ରକ୍ତ ପିପାସୁ ଧର୍ମର ପଥ ହୁଡେ ।
ପ୍ରମାଣ ଅଛି ଶାସ୍ତ୍ରରେ
କୋମଳ ମତି ପୁତ୍ରକୁ ବି ଛାଡ଼ି ନ ଥିଲା
ହିରଣ୍ୟକଶିପୁ ପ୍ରତିଶୋଧ ଅଗ୍ନିରେ ।
ଜଳରେ ବୁଡାଇ ପାହାଡ଼ରୁ ଗଡ଼ଇ
ନିଆଁରେ ପୋଡିବାର
ବାରମ୍ବାର ପ୍ରୟାସ ।
ବିଷ୍ଣୁ ଆଶ୍ରିତ ପ୍ରହ୍ଲାଦ
ବର୍ତ୍ତିଥିଲା ପିତାଙ୍କ କ୍ରୋଧରୁ
ହରିଙ୍କ ନାମ ସ୍ମରି ।
ମଗଧ ସମ୍ରାଟ ଚଣ୍ଡାଶୋକଙ୍କ
ପ୍ରତିଶୋଧରେ ଦୟାନଦୀ
ରକ୍ତ ରଞ୍ଜିତ ।
କଳା ପାହାଡ଼ର କ୍ରୋଧାଗ୍ନିରେ
ଉତ୍କଳର ଅସଂଖ୍ୟ ମନ୍ଦିର
ଭଗ୍ନସ୍ତୂପ ।
ପ୍ରତିଶୋଧ ଅପୂରଣୀୟ କ୍ଷତି କରେ
କିଛି ମିଳେନି
ହରାଇବାକୁ ପଡେ ବେଶି ।
କୁଆଁରୀ ଝିଅ ଅନ୍ତସତ୍ବା ଜାଣି
ପ୍ରତିଶୋଧ ନେବାକୁ ବାପା
ଆଗେଇ ଗଲେ ଯୁବକ ପାଖକୁ ।
ଯୁକ୍ତିତର୍କ ମଧ୍ୟରେ ଯୁବକ
ସ୍ବୀକାର କଲାନି ଭୁଲ
ପିତା ପୁତ୍ର ପ୍ରତିଶୋଧରେ ହତ୍ଯା କଲେ ।
ଆଇନ ହାତକୁ ନେଇ ପିତାପୁତ୍ର
ପୋଲିସ ହାଜତରେ
ମାଆ ଝିଅ ଦୁନିଆଁର ରାଜଦାଣ୍ଡେ
ଠୋକର ଖାଇଲେ ।
ସମୟକ୍ରମେ ପୋଲିସ ହାଜତରେ
ପିତାଙ୍କ ମୃତ୍ୟୁ ହୁଏ
ପୁତ୍ର ଖଲାସ ଚଉଦ ବର୍ଷ ପରେ ।
ମଣିଷ ମରା କହି ପଡୋଶୀ
ଘୃଣା କଲେ
ମାଆ ଝିଅଙ୍କ ପତ୍ତା ନ ଥିଲା ।
ପ୍ରତିଶୋଧର ନିଆଁରେ
ସବୁ ଶେଷ ହୋଇଗଲା
ଏତେ ବଡ଼ ଦୁନିଆରେ
ନିଜର ବୋଲି କେହି ନ ଥିଲେ ।
