STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

1 min
362


ପ୍ରତୀକ୍ଷା ଶବ୍ଦଟି ଜୀବନ ସହିତ

ଅଙ୍ଗାଙ୍ଗୀ ଜଡ଼ିତ ଥାଏ

ଜନ୍ମରୁ ମରଣ ଯେତିକି ବି ପଥ

ପ୍ରତୀକ୍ଷାରେ ଚାଲିଥାଏ ।


ପେଟର ଶିଶୁଟି ପ୍ରତୀକ୍ଷା କରଇ

ଗର୍ଭୁ ବାହାରିବା ପାଇଁ

ମାଆ କାନ ଡ଼େରି ପ୍ରତୀକ୍ଷା କରଇ

କୁଆଁ କୁଆଁ ଶବ୍ଦ ପାଇଁ ।


ଶିଶୁର ପ୍ରତୀକ୍ଷା ଖେଳକୁଦ ପାଇଁ

ପ୍ରେମ ପ୍ରତୀକ୍ଷା ବିବାହ

ଝଡ଼ ତୋଫାନକୁ ଟାଳି ଦେବାପାଇଁ

ମନେ ଧୈର୍ଯ୍ୟ ଅପାର ।


ଘରଠୁ ବାହାର ସବୁଠି ପ୍ରତୀକ୍ଷା

ଶବ୍ଦ ମାନଙ୍କର ମେଳା 

ପ୍ରତୀକ୍ଷାର ଧୈର୍ଯ୍ୟ ଅଟେ ମେରୁଦଣ୍ଡ

ସଫଳ ବିଫଳ ଗୋଳା ।


ପ୍ରତୀକ୍ଷାରେ ସତୀ ଅଶୋକ ବନରୁ

ସହାସେ ଫେରନ୍ତି ଘର

ପ୍ରତୀକ୍ଷା କରି ଯେ ପାଷାଣୀ ଅହଲ୍ୟା

ମୁକ୍ତି ପାଇ ହେଲେ ସ୍ଥିର ।


ଶବରୀ ପ୍ରତୀକ୍ଷା ଭାବମୟତାରେ

ପ୍ରଭୁଙ୍କ ସାନ୍ନିଧ୍ୟ ପାଏ 

ପ୍ରତୀକ୍ଷାର ଫଳ କେତେ ମିଠା ପୁଣି

ସେମାନେ କହି ପାରିବେ ।


ପ୍ରତୀକ୍ଷାର ଅନ୍ତ ରାଧାର ହୋଇନି

ନିରାଶ କେବେ ହୋଇନି

ତଥାପି ରାଧା ତ କୃଷ୍ଣମୟ ସଦା

କେବେ ଅନିଷ୍ଟ ଚାହିଁନି ।


ଦେହୁ ଦେହାତୀତେ ବିଚରଣ କରି

ପରମ ଆନନ୍ଦେ ମଗ୍ନ

ମୀରାର ପ୍ରତୀକ୍ଷା ସୁର ତାଳେ ମଗ୍ନ

କୃଷ୍ଣ ପ୍ରେମେ ମହୀୟାନ ।


ପ୍ରତୀକ୍ଷା ଅଟଇ ଜୀବନର ଅଙ୍ଗ

ଧୈର୍ଯ୍ୟ ତା'ର ଚାବିକାଠି

ସଫଳ ହେଉ କି ବିଫଳ ହେଉ ସେ

ଯିବ ନାହିଁ କେବେ ଥକି ।


ପ୍ରତୀକ୍ଷା କରିବା ଶିଖି ନ ପାରିଲେ

ଜୀବନ ଜିଇଁବା କଷ୍ଟ

କର୍ମରେ ମର୍ମରେ ଭିଜି ଚାଲିଥିଲେ 

ପ୍ରତୀକ୍ଷା ନଦେବ କଷ୍ଟ ।


ଜୀବନଟା ପରା ପ୍ରତୀକ୍ଷାମୟ ଯେ

ଅନ୍ଧାର ଆଲୁଏ ଭରା

କେବେ ଜନମକୁ କେବେ ବା ମୃତ୍ୟୁକୁ

ପ୍ରତୀକ୍ଷାଟି ହୁଏ ସାରା ।


ପ୍ରତୀକ୍ଷା କରିବା କଷ୍ଟସାଧ୍ୟ ବୋଲି

ସଭିଙ୍କୁ ତ ଜଣା ଅଛି

ପ୍ରତୀକ୍ଷାରେ ନିମଜ୍ଜିତ ହୋଇଯିବା

କେତେ ଜଣ ଜାଣିଛନ୍ତି ।


ଜୀବନର ପ୍ରତି ପଦକ୍ଷେପ ଯଦି

ପ୍ରତୀକ୍ଷା ଯେ ଠିଆ ହୁଏ

ଡରିବାନି କେବେ ଧୈର୍ଯ୍ୟ ସଙ୍ଗେ ନେଇ

କାର୍ଯ୍ୟ କରିଯିବା ଭଲେ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational