ପ୍ରତିଧ୍ବନି
ପ୍ରତିଧ୍ବନି
ତୁମେ ହୃଦୟରେ ଗୁଞ୍ଜରିତ ହୁଅ
ବାର ବାର ପ୍ରତି ଥର
ପ୍ରୀତିଲଗ୍ନା ବୋଲି ଏ ହୃଦୟ ମୋର
ଝୁରଇ ଯେ ନିରନ୍ତର l
ପ୍ରତିଧ୍ବନି ତବ ଥରାଏ ମୋ ଦେହ
ଜଗାଇ ସହସ୍ର କୋହ
ନୈରାଶ୍ୟ ଜୀବନ ମରୁବାଲିପରେ
ତୁମେ ଯେ ସୁଖର ସୁଅ l
ତୁମ ରୂପକାନ୍ତୀ ଭରଇ ପ୍ରଶାନ୍ତି
ମୁଁ କୃତକୃତ୍ୟ ହେଇଯାଏ
ତୁମ୍ଭ ପରଶର ଅପୂର୍ବ ଆଭାରେ
ମୋ ଦେହ ଚମକି ଯାଏ l
ପ୍ରଚଣ୍ଡ ଗ୍ରୀଷ୍ମର ପ୍ରକୋପ ନ ମାନି
ଚଳେ ତୁମ୍ଭ ସହ ମନ
ତୁମ୍ଭ ଅଟ ସେଇ ଶୀତଳଦାୟିନୀ
ଏ କଥା ହୁଏ ପ୍ରମାଣ l
ନୀରବତା ଯହିଁ କରଇ ଶାସନ
ସେ ସ୍ଥାନେ ତୁମ୍ଭେ ଆସ
କିଛି କ୍ଷଣ ପାଇଁ ସ୍ମୃତି ଝଲସାଇ
ଅଜଣା ରାଇଜେ ମିଶ l
ତୁମ୍ଭେ ଚାଲିଗଲେ କିଛି କ୍ଷଣ ପାଇଁ
ପ୍ରତିଧ୍ବନି ତୁମ୍ଭ ଶୁଭେ
ଏ ମନ ମୋର ନୀରବ ଗମ୍ଭୀରେ
ରହେ ଚାହିଁ ଦୂର ନଭେ l
ହୃଦୟର ଏଇ ଶୂନ୍ୟତା କୁ ଯେବେ
ପଚାରେ ମୁଁ ମନେ ମନେ
ଉତ୍ତର ଆସଇ ପାଶେ ମୋ ଭାସଇ
ପ୍ରତିଧ୍ବନି କହେ ତୁମେ l

