ନିସ୍ତବ୍ଧ ବେଳାର ବରଗଛ
ନିସ୍ତବ୍ଧ ବେଳାର ବରଗଛ
ନିସ୍ତବ୍ଧ ବେଳାରେ ଗାଆଁ ବରଗଛ
ବାହୁନି ବାହୁନି ନିଇତି କାନ୍ଦେ
ତାକୁ ଗଞ୍ଜଣା ଦିଅନ୍ତି ବୋଲି
କେଇପଦ କଥା ମୁହଁ ଆଗେ
ସେ ଦାଦନ ଖଟିବାକୁ ଯାଇଥିବା
ଶିଶୁ ଶ୍ରମିକ ପୁଅର ମୃତ୍ୟୁରେ
ତା ବୋଉର ଛାତିଥରା କୋହ
ଅଭିଶପ୍ତ ଶବାଧାରେ ଆସିଥିବା
ଯନ୍ତ୍ରମାନବଙ୍କ ବଞ୍ଚିବାର ମୋହ
କେବେ ପୁଣି ଅହଂକାରୀ ଜନଙ୍କ
ସ୍ୱାର୍ଥ ବିଚାର, ତିରସ୍କାରର ଭୟ
ତୁଣ୍ଡ ବାଇଦ ସହସ୍ର କୋଶ ପରି
ବ୍ୟାପକ ହୁଏନା ତା କୋହ
ଯାହା କୁହୁଳୁ ଥାଏ ଅହରହ
ନିରୋଳାରେ ସେ କୁରୁଳି ଉଠେ
ତ
ୁଟିଯାଏ ସବୁ ମାୟା ଓ ମୋହ
ନିସ୍ତବ୍ଧ ବେଳାରେ ବାହୁନି କାନ୍ଦେ
ଆଖିରୁ ଖସେ ଅବିରତ ଲୁହ
କଥା ସବୁ କେମିତି ପାଲଟେ ନଥା
ସମାଜର କିଛି ବିଚିତ୍ର ବ୍ୟବସ୍ଥା
ତୁଣ୍ଡେ ରାମନାମ ପଛରେ ଚିତା
କାଟନ୍ତି କିପରି ଭଣ୍ଡମାନେ ଏଠି
ଦେହରେ ପକାଇ ଖଣ୍ଡେ ପଇତା
ମୁକ ସାକ୍ଷୀ ଏଇ ବରଗଛ ଆଜି
ସକାଳ ସଞ୍ଜରେ ନିତି ପ୍ରତିନିତି
ଶୁଣେ ତା ମୂଳରେ କେତେ କେତେ
ପରଛିଦ୍ର କଥା କେତେ ରାଜନୀତି ।।
ନିସ୍ତବ୍ଧ ବେଳାରେ ଭାବେ ବରଗଛ
ମାନବ ଜଗତର ଏ କି ଅବସ୍ଥା
ଓଃ ଝରୁଥାଏ ତା ଆଖିରୁ ମୁକୁତା